ଦୁଷ୍କର୍ମ ଅଭିଯୁକ୍ତ ନାତି ପ୍ରଜ୍ଜ୍ୱଳଙ୍କୁ ଦେବେଗୌଡ଼ାଙ୍କ ଚେତାବନୀ; ଆତ୍ମସମର୍ପଣ କର ନହେଲେ ମୋ ରାଗ ଦେଖିବ

Published By : Prameya-News7 Bureau | May 23, 2024 IST

indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେବେଗୌଡ଼ାଙ୍କ ପରିବାରରେ ଭଲ ଓ ଖରାପ ନେତା ଦେଖାଇ ହେବାର ଖେଳ ଜାରି ରହିଛି। ଯୌନ କେଳେରଙ୍କାରୀ ମାମଲାରେ ନାତି ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ନାଁ ଆସିବା ପରେ ସେ ବିଦେଶ ଚାଲିଯାଇଥିବାରୁ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ନାଟକୀୟ ଢଙ୍ଗରେ ବୟାନ ଜାରି କରିଛନ୍ତି। 

ନାତିକୁ ତାଗିଦ୍ କରି ଜେଜେ ଦେବେଗୌଡ଼ା କହିଛନ୍ତି ପ୍ରଜ୍ଜ୍ୱଳ ପୁଲିସ ଆଗରେ ଆତ୍ମସମର୍ପଣ କର ନହେଲେ ମୋ ରାଗ ଦେଖିବୁ.....। ଜେଡିଏସ୍ ସୁପ୍ରିମୋଙ୍କର ଏଭଳି ବୟାନ ପୀଡ଼ିତ ପରିବାର କିମ୍ବା ସାଧାରଣ ଲୋକଙ୍କୁ ନାଟକୀୟ ଲାଗୁଥିଲେ ବି ଦେବେଗୌଡ଼ାଙ୍କ ଚେତାବନୀ ବାଣୀର ଚିଠି ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରାଯାଇଛି।  

ଗୁରୁବାର ଦେବେଗୌଡ଼ା ସୋସିଆଲ୍ ମିଡିଆରେ ଏହି ଚେତାବନୀ ଚିଠି ପୋଷ୍ଟ କରିଛନ୍ତି। ଏବଂ ଲେଖିଛନ୍ତି “ମୁଁ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ଚେତାବନୀ ଜାରି କରୁଛି। ସେ ଯେଉଁଠି ବି ଥାନ୍ତୁ ନା କାହିଁକି ତୁରନ୍ତ ଫେରି ଆସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ସହଯୋଗ କରନ୍ତୁ। ସେ ମୋ ଧୈର୍ଯ୍ୟର ପରୀକ୍ଷା ଆଉ ନ ନିଅନ୍ତୁ।” ପ୍ରଜ୍ଜ୍ୱଳକୁ ମୋର ଚେତାବନୀ ଟାଇଟଲ୍ ଥାଇ ମେ ୨୩ ଗୁରୁବାର ଜାରି ହୋଇଥିବା ଏହି ଚେତାବନୀ ଚିଠିରେ ଲେଖା ଯାଇଛି “ପୂଜା କରିବାକୁ ମନ୍ଦିର ଗଲାବଳେ ମେ ୧୮ ତାରିଖରେ ମୁଁ ପ୍ରଜ୍ଜ୍ୱଳ ରେଭନ୍ନା ବିଷୟରେ ଗଣମାଧ୍ୟମକୁ କହିଥିଲି। ସେ ମୋତେ ମୋ ପରିବାର, ମୋ ସହକର୍ମୀ, ବନ୍ଧୁ ଓ ଦଳୀୟ କର୍ମୀଙ୍କୁ ଯେଉଁ ଆଘାତ ଦେଇଛି ସେଥିରୁ ମୁକୁଳିବା ପାଇଁ ମୋତେ କିଛି ସମୟ ଲାଗିବ।”

ଏଥିସହିତ ନାତି ଯଦି ଭୁଲ୍ କରିଛି ତେବେ ତାକୁ କଠୋର ଦଣ୍ଡ ଦିଆଯାଉ ବୋଲି ଦେବେଗୌଡ଼ା କହିଛନ୍ତି। ସେହିପରି ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ମଧ୍ୟ ପ୍ରଜ୍ଜ୍ୱଳ ମାମଲାରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ଏନେଇ ଦେବେଗୌଡ଼ା ଆହୁରି କହିଛନ୍ତି ଯେ ଘଟଣା ପରଠାରୁ ଲୋକମାନେ କିଛି ସପ୍ତାହ ହେଲା ମୋ ବିରୋଧରେ ଓ ମୋ ପରିବାର ବିରୋଧରେ କଡ଼ା ଭାଷାର ବ୍ୟବାହର କରୁଛନ୍ତି। ଏକଥା ମୁଁ ଜାଣିଛି। ମୁଁ ସେମାନଙ୍କୁ ଏପରି କହିବାରେ ରୋକିବାକୁ ମୋର ଇଚ୍ଛା ନାହିଁ। ତାଙ୍କୁ ସମାଲୋଚନା କରିବାକୁ ବି ମୁଁ ଚାହୁନି କି ତର୍କ କରିବାକୁ ଚାହୁଁନି। ସତ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବା ଉଚିତ୍। ଏହାପୂର୍ବରୁ ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ହାସନ ସାଂସଦ ରେଭନ୍ନାଙ୍କ ଡିପ୍ଲୋମାଟିକ ପାସପୋର୍ଟକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। କାରଣ ଏହି ପାସ୍‌ପୋର୍ଟ ସାହାଯ୍ୟରେ ରେଭନ୍ନା ବିଦେଶ ଖସି ପଳାଇଯାଇଛନ୍ତି ବୋଲି କର୍ଣ୍ଣାଟକ ସରକାର କହିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.