ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଜନତା ଦଳ ସେକ୍ୟୁଲାର ନେତା ତଥା ପୂର୍ବତନ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏକ ଫାର୍ମା ହାଉସରେ ଘରୋଇ ସହାୟିକାଙ୍କୁ ବଳାତ୍କାର ମାମଲାରେ ରେଭନ୍ନାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ। ଏହି ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର ରୁଜୁ ହେବାର ୧୪ ମାସ ପରେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି।
ସାଂସଦ/ବିଧାୟକଙ୍କ ସ୍ଵତନ୍ତ୍ର ଅଦାଲତର ଜଜ ସନ୍ତୋଷ ଗଜାନନ ଭଟ୍ଟ ଶୁକ୍ରବାର ପ୍ରଜ୍ଜ୍ଵଳଙ୍କୁ ବଳାତ୍କାରର ଚାରୋଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ହାସନ ଜିଲ୍ଲାର ହୋଲେନରସିପୁରାରେ ରେଭନ୍ନାଙ୍କ ପରିବାରର ଏକ ଫର୍ମା ହାଉସରେ ସହାୟିକା ଭାବେ କାମ କରୁଥିବା ୪୮ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରିଥିବା ରେବନ୍ନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲାଗିଥିଲା। ୨୦୨୧ରେ ଫାର୍ମ ହାଉସ ଏବଂ ବେଙ୍ଗାଲୁରୁ ସ୍ଥିତ ରେଭନ୍ନାଙ୍କ ବାସଭବନରେ ମହିଳାଙ୍କ ସହ ଦୁଇ ଥର ବଳାତ୍କାର ହୋଇଥିଲା। ଅଭିଯୁକ୍ତ ଏହି ଘଟଣାକୁ ନିଜର ମୋବାଇଲରେ ରେକର୍ଡ କରି ରଖିଥିଲେ।
ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଜ୍ଜ୍ଵଳ ରେବନ୍ନା ତାଙ୍କୁ କମ ସଜା ଦେବାକୁ କୋର୍ଟରେ ନିବେଦନ କରିଥିଲେ। ସେ ଦାବି କରିଥିଲେ ଯେ, ସେ କିଛି ଭୁଲ୍ କରି ନାହାନ୍ତି। ରାଜନୀତରେ ଦ୍ରୁତ ଗତିରେ ଆଗକୁ ବଢିବା ତାଙ୍କର ଏକମାତ୍ର ଭୁଲ୍ ଥିଲା। ପ୍ରଜ୍ଜ୍ଵଳ ଶନିବାର ଦଣ୍ଡ ଶୁଣାଣି ବେଳେ କାନ୍ଦି ପକାଇଥିଲେ। ରେବନ୍ନା କହିଛନ୍ତି, ଅନେକ ମହିଳାଙ୍କୁ ବଳାତ୍କାର କରିଥିବା ମୋ ବିରୋଧରେ ଅଭିଯୋଗ ହୋଇଥିଲା। ମାତ୍ର କୌଣସି ବି ମହିଳା ସ୍ଵଇଚ୍ଛାରେ ଅଭିଯୋଗ କରିବାକୁ ଆସି ନ ଥିଲେ। ନିର୍ବାଚନର ଛଅ ଦିନ ପୂର୍ବରୁ ମୋ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ ପକ୍ଷ ଜାଣିଶୁଣି ମୋ ବିରୋଧରେ ଅଭିଯୋଗ କରିଥିଲେ। କିଛି ଭିଡିଓ ଭାଇରାଲ୍ ହେବା ପରେ ହିଁ ମୋ ବିରୋଧରେ ଏମିତି ଅଭିଯୋଗ ଆସିଥିବା ରେବନ୍ନା କହିଛନ୍ତି।