କଟକ: ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧୀନରେ କାର୍ଯ୍ୟରତ ଭାରପ୍ରାପ୍ତ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ହିନ୍ଦୋଳ ଥାନା ଅନ୍ତର୍ଗତ ତଣ୍ଟିଚିରା ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ।
ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦେହୁରୀ ହିନ୍ଦୋଳ ଜେଲରେ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲରେ ଚିକିତ୍ସା କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ନସୁଧୁରିବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଚୌଦ୍ବାର ଜେଲ ସ୍ଥାନାନ୍ତର କରି କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା। ହେଲେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି।
ସେପଟେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କ ଜେଳ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ହିନ୍ଦୋଳରେ ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରବଳ ଶାରୀରିକ ନିର୍ଯାତନା ଓ ପରେ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି। ପୂର୍ଣ୍ଣଚନ୍ଦ୍ର ଜଣେ ଭିନ୍ନକ୍ଷମ। ଭାରପ୍ରାପ୍ତ ଫରେଷ୍ଟରଙ୍କ ହତ୍ୟାକାଣ୍ଡରେ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି। ଏନେଇ ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସହ ଆଲୋଚନା ପରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମୃତକଙ୍କ ପରିବାର ଓକିଲ କହିଛନ୍ତି।
ହିନ୍ଦୋଳ ଥାନାରେ ହୋଇଥିବା ଏତଲା ଅନୁସାରେ ଭାରପ୍ରାପ୍ତ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ ମେ ମାସ ୨୩ ତାରିଖରେ ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ପାଟ୍ରୋଲିଂ କରୁଥିବାବେଳେ ରାଜମୋହନପୁର ନିକଟରେ ଚାରି ଜଣ ବ୍ୟକ୍ତି ବନ୍ୟଜନ୍ତୁ ଶିକାର କରିବା ପାଇଁ ଯୋଜନା କରୁଥିବା ଖବର ପାଇଥିଲେ। ଭାରପ୍ରାପ୍ତ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ ତୁରନ୍ତ ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲେ।
ଏତଲା ଅନୁସାରେ ଶିକାରୀଙ୍କ ଭିତରୁ ଜଣେ ବ୍ୟକ୍ତି ଭାରପ୍ରାପ୍ତ ଫରେଷ୍ଟରଙ୍କ ବନ୍ଧୁକ ଛଡ଼ାଇ ନେଇ ତାଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ଭାରପ୍ରାପ୍ତ ଫରେଷ୍ଟର ପ୍ରହ୍ଲାଦଙ୍କୁ ଅନୁଗୋଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରହ୍ଲାଦଙ୍କର ମୃତ୍ୟୁ ଘଟିଥିଲା।