ସମ୍ୱଲପୁର ୦୯/୦୬: ଅଭିଯୋଗ ପରେ ଆକ୍ସନ । ଶେଷରେ ନିଲମ୍ବନ ହେଲେ ଝାଂକରପାଲି ସେକ୍ସନ ଫରେଷ୍ଟର ସୁଚରିତା ମେଣ୍ଡଳୀ । କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟରଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଡିଏଫ କୁଲାଙ୍ଗେ ଗୋରଖ ଓ୍ୱାମେନ । ଏହା ସହ ନିଲମ୍ବନ ସମୟରେ ଧମା ଫରେଷ୍ଟ ରେଂଜ ଅଫିସରେ କାର୍ଯ୍ୟ କରିବେ । ବାଉଁଶ ଏସଏସଓ କାର୍ଯ୍ୟରେ ଦୁର୍ନୀତି କରିଥିବା ନେଇ ରବିବାର ଅଭିଯୋଗ ଆସିଥିଲା । ଆଉ ଏହି ସଂଘାତିକ ଅଭିଯୋଗ ପରେ ସୋମବାର ତାଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଥାଉକି, ସମ୍ବଲପୁର ଡିଏଫ୍ଓଙ୍କ ଅଧିନରେ କାର୍ଯ୍ୟରତ ଜଣେ ମହିଳା ଫରେଷ୍ଟର ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିବା ସମୟର ଅଡିଓ ଭାଇରାଲ୍ ହୋଇଥିଲା । ଅଡିଓରେ ଏବେ ଥିବା ଡିଏଫ୍ଓ କାମକୁ ଆସୁନଥିବା କୁହାଯାଇଛି । ପୂର୍ବ ଡିଏଫ୍ଓ ପାହଡ଼ ଚଢ଼ି ଯାଞ୍ଚ କରୁଥିଲେ ମଧ୍ୟ ମିଛ ବିଲ୍ କରି ଟଙ୍କା ଉଠାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ମୁଣ୍ଢେର ବିଟ୍ରେ ଫରେଷ୍ଟର ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ପାଠ ପଢ଼ାଉଥିଲେ । ଦୁର୍ନୀତି ଧରାପଡ଼ିଯିବା ନେଇ ଭୟ କରୁଥିଲେ ରାତ୍ର ଜଗୁଆଳି । ହେଲେ ତାଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିଲେ ଫରେଷ୍ଟର । ଯାହାକି ଅଡିଓରୁ ସ୍ପଷ୍ଟ ଜଣାପଡ଼ୁଥିଲା ।
ସେପଟେ ଅଡିଓ ଏବେ ବନ ବିଭାଗର ଅସଲ ମୁଖା ଖୋଲିଦେଇଛି । କିଭଳି ବନ ବିଭାଗରେ କାମ ହେଉଛି ଓ କିଏ ଏହାକୁ ତଦ।ରଖ କରୁଛନ୍ତି, ତାହା ଏହି ଅଡିଓରୁ ଜଣାପଡ଼ିଛି । ଫରେଷ୍ଟର ଯେଭଳି ଭାବେ କହୁଛନ୍ତି, ଡିଏଫ୍ଓ ଯାଞ୍ଚ କରୁନାହାନ୍ତି, ତାହା ବନବିଭାଗର ପ୍ରକୃତ ସତ ପଦାକୁ ଆସିଛି ।