ନୂଆଦିଲ୍ଲୀ ୧୪।୬: ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରେ ପୁଣି ଅଭିବୃଦ୍ଧି ହୋଇଛି। ୬ ଜୁନ ୨୦୨୫ରେ ସମାପ୍ତ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ଅର୍ଥାତ ଫରେକ୍ସ ରିଜର୍ଭରେ ୫.୧୭ ବିଲିୟନ ଡଲାର ଅଭିବୃଦ୍ଧି ସହ ଏହା ୬୯୬.୬୫ ବିଲିୟନ ଡଲାରକୁ ପହଞ୍ଚିଛି। ତେବେ ସପ୍ତାହକ ପୂର୍ବରୁ ଅର୍ଥାତ ମେ ୩୦ ତାରିଖରେ ସମାପ୍ତ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୨୪ ବିଲିୟନ ଡଲାର ହ୍ରାସ ଦେଖାଯାଇଥିଲା।
ବୈଦେଶିକ ମୁଦ୍ରାଭଣ୍ଡାର ୨୭ ସେପ୍ଟେମ୍ବର ୨୦୨୪ରେ ୭୦୪.୮୮୫ ବିଲିୟନ ଡଲାର ସହିତ ରେକର୍ଡ ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁସାରେ ୬ ଜୁନରେ ଶେଷ ହୋଇଥିବା ସପ୍ତାହରେ ଗୋଲ୍ଡ ରିଜର୍ଭ ୧.୫୮୩ ବିଲିୟନ ଡଲାରର ଅଭିବୃଦ୍ଧି ହୋଇଛି। ଏହା ସହିତ ଗୋଲ୍ଡ ରିଜର୍ଭ ୮୫.୮୮୮ ବିଲିୟନ ଡଲାରକୁ ପହଞ୍ଚିଛି। ତେବେ ଏହା ପୂର୍ବରୁ ମେ ୩୦ରେ ସମାପ୍ତ ହୋଇଥିବା ସପ୍ତାହରେ ଏହି ବୃଦ୍ଧି ୭୨୩ ମିଲିୟନ ଡଲାରକୁ ପହଞ୍ଚିଥିଲା।
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ଆସେଟ୍ ୩.୪୭ ବିଲିୟନ ଡଲାର ବଢି ୫୮୭.୬୮ ବିଲିୟନ ଡଲାର ହୋଇଯାଇଛି। ଏଥିରେ ପାଉଣ୍ଡ, ୟୁରୋ, ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମଧ୍ୟ ରହିଛି। ସେହିପରି ଗତ ସପ୍ତାହରେ ଫରେନ କରେନ୍ସୀ ଆସେଟ୍ ୩.୪୭ ବିଲିୟନ ଡଲାର ବୃଦ୍ଧି ସହିତ ଏଫସିଏ ବଢି ୫୮୭.୬୮ ବିଲିୟନ ଡଲାରକୁ ପହଞ୍ଚି ଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଏପରି ଅଭିବୃଦ୍ଧିକୁ କୌଣସି ଦେଶର ଅର୍ଥ ବ୍ୟବସ୍ଥା ନିମନ୍ତେ ଏକ ଭଲ ସଂକେତ ଭାବେ ଦେଖାଯାଏ। କୌଣସି ଦେଶର ଆର୍ଥିକ କ୍ଷମତା ଆକଳନ ପାଇଁ ଏହି ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ହୋଇଥାଏ। ଯେଉଁଥିରୁ ବିଦେଶୀ ଋଣ ସୁଝା,ଆମଦାନୀ ଖର୍ଚ୍ଚ ଓ ମୁଦ୍ରାର ମୂଲ୍ୟ ସ୍ଥିର ରଖିବାରେ ସହାୟକ ହୋଇଥାଏ।