ଅହମ୍ମଦାବାଦରେ ଚାଞ୍ଚଲ୍ୟ, ଟେକଅଫ୍ ସମୟରେ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଟଳିଲା ବଡ଼ ଅଘଟଣ

Published By : Prameya-News7 Bureau | July 23, 2025 IST

ଅହମ୍ମଦାବାଦ: ପୁଣି ଚର୍ଚ୍ଚାରେ ଅହମ୍ମଦାବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନ ବନ୍ଦର। ଏଠାରେ ସେହି ସମୟରେ ଚାଞ୍ଚଲ୍ୟ ଖେଳିଗଲା ଯେତେବେଳେ ଦୀପ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋର ବିମାନର ଇଞ୍ଜିନରେ ନିଆଁ ଲାଗିଥିବାର ଚେତାବନୀ ମିଳିଲା। ଇଣ୍ଡିଗୋର ବିମାନଟି ହେଉଛି ୬ଇ-୭୯୬୬(ଏଟିଆର୭୬)। ପାଇଲଟ୍ ତୁରନ୍ତ ମେଡେ କଲ୍ ପଠାଇ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି)କୁ ଅବଗତ କରାଇବା ସହ ଉଡ଼ାଣ ରଦ୍ଦ କରାଯାଇଛି।

ଉଚିତ୍ ସମୟରେ ଠିକ୍ ନିଷ୍ପତ୍ତି ଏବଂ ପାଇଲଟଙ୍କ ବୁଦ୍ଧିମତା ଯୋଗୁଁ  ବଡ଼ ଦୁର୍ଘଟଣା ଟଳା ଯାଇ ପାରିଛି। ଆଉ ବିମାନରେ ବସିଥିବା ୬୦ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ୪୨ ଦିନ ପୂର୍ବେ ଅହମ୍ମଦାବାଦରେ ଘଟିଥିବା ଭୟାବହ ଏୟାର ଇଣ୍ଡିଆ ଦୁର୍ଘଟଣାକୁ ମନେ ପକାଇ ଦେଇଛି। ଏଥିରେ ୨୬୫ ଜଣଙ୍କ ପ୍ରାଣହାନୀ ଘଟିଥିଲା। 

ସୂଚନା ଅନୁଯାୟୀ, ପୂର୍ବାହ୍ଣ ୧୧ଟାରେ ଇଣ୍ଡିଗୋର ବିମାନ ୬ଇ-୭୯୬୬(ଏଟିଆର୭୬) ରନଓ୍ଵେରେ ଟେକଅଫ୍‌ପାଇଁ ପ୍ରସ୍ତୁତି  କରୁଥିଲା। ସେହି ସମୟରେ ପାଇଲଟ୍‌ଙ୍କୁ କକପିଟ୍‌ରେ ଇଞ୍ଜିନ ଓ୍ଵାନ ପ୍ଲେମଆଉଟ୍‌ର ଚେତାବନୀ ମିଳିଥିଲା। କ୍ରୁ ସଦସ୍ୟ କାଳ ବିଳମ୍ବ ନ କରି ଉଡ଼ାଣ ରୋକିବା ସହ ବିମାନକୁ ସୁରକ୍ଷିତ ଫେରାଇ ଆଣିଥିଲେ। ସମସ୍ତ ୬୦ ଯାତ୍ରୀ ଓ ଚାଳକ ଦଳର ଚାରି ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷିତ ବାହାର କରାଯାଇଛି। 

ଇଣ୍ଡିଗୋର ମୁଖପାତ୍ର ବୟାନ ଜାରି କରି କହିଛନ୍ତି, ୨୦୨୫ ଜୁଲାଇ ୨୩ରେ  ଅହମ୍ମଦାବାଦରୁ ଦୀପ ପାଇଁ ଉଡ଼ାଣ ଭରୁଥିବା ଉଡ଼ାଣ ୬ଇ-୭୯୬୬(ଏଟିଆର୭୬)ରେ ଟେକଅଫ୍ ପୂର୍ବରୁ ଯାନ୍ତ୍ରିକ ତ୍ରୁଟିର ସଙ୍କେତ ମିଳିଥିଲା। ପାଇଲଟ୍ ଏଟିସିକୁ ସୂଚିତ କରାଇବା ସହ ବିମାନକୁ ତୁରନ୍ତ ଫେରାଇ ଆଣିଥିଲେ। ମୁଖପାତ୍ର କହିଛନ୍ତି, ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଆମେ ସେମାନଙ୍କୁ ରିଫ୍ରେସମେଣ୍ଟ, ପରବର୍ତ୍ତୀ ଉଡ଼ାଣ କିମ୍ବା ରିଫଣ୍ଡର ସୁବିଧା ପ୍ରଦାନ କରୁଛୁ। 

ଇଣ୍ଡିଗୋର ବିମାନରେ ବସିଥିବା ଜଣେ ଯାତ୍ରୀ କହିଛନ୍ତି, ଆମେ ବିମାନ ଉଡ଼ାଣକୁ ଅପେକ୍ଷା କରିଥିଲୁ, ଅଚାନକ ଉଡ଼ାଣ ରଦ୍ଦ ଘୋଷଣା ହୋଇଥିଲା। ଆମକୁ ସୁରକ୍ଷିତ ବିମାନରୁ ଓହ୍ଲାଗଲା। ମନରେ ବହୁତ ଡର ଥିଲା। ଅନ୍ୟ ଜଣେ ଯାତ୍ରୀ କହିଛନ୍ତି, ପାଇଲଟ୍‌ଙ୍କୁ ପ୍ରଶଂସା କରିବାକୁ ପଡ଼ିବ। ତାଙ୍କ ଉତ୍ତମ ବୁଦ୍ଧିମତା କାରଣରୁ ଆମ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.