ବଡୋଦରା ପୋଲ ଭୁଶୁଡିବା ଘଟଣାରେ ମୃତକଙ୍କ ପରିବାରଙ୍କୁ ମିଳିଲା ଆର୍ଥିକ ସହାୟତା

Published By : Prameya-News7 Bureau | July 13, 2025 IST

ଗାନ୍ଧିନଗର ୧୩।୭: ମୁଜପୁର-ଗମ୍ଭୀରା ମଧ୍ୟରେ ଘଟିଥିବା ପୋଲ ଦୁର୍ଘଟଣା ମୃତକଙ୍କ ପରିବାରଙ୍କୁ ସରକାର ରବିବାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ପ୍ରତି ବ୍ୟକ୍ତି ୪ ଲକ୍ଷ ଟଙ୍କା ଲେଖାଏଁ ସରକାର ସହାୟତା କରିଥିବା ବେଳେ ମୋଟ ୬୨ ଲକ୍ଷ ଟଙ୍କାର ଚେକ୍ ବିତରଣ କରାଯାଇଛି। ସେହିପରି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ ସରକାର ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। 

ଗମ୍ଭୀରା ପୋଲ ଦୁର୍ଘଟଣା ମୃତକଙ୍କ ନିକଟତମ ପରିଜନଙ୍କ ନିମନ୍ତେ ସରକାର ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ସେହିପରି ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଘୋଷଣା କରାଯାଇଥିଲା। ସେହି ଅନୁସାରେ ଏହି କ୍ଷତିପୂରଣ ରାଶି ଆବଣ୍ଟିତ ହୋଇଛି। ଛୋଟା ଉଦେପୁର ସାଂସଦ ଜଶୁଭାଇ ରାଠଭା ଓ ପାଦରା ବିଧାୟକ ଚୈତନ୍ୟ ସିଂହ ଝାଲା ଏହି ସହାୟତା ରାଶି ଚେକ୍ ପୀଡ଼ିତଙ୍କୁ ପ୍ରଦାନ କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସହାୟତାକୁ ତତ୍କାଳ ସ୍ୱୀକୃତି ଦିଆଯାଇଥିଲା ଓ ବିନା ବିମ୍ବରେ ରବିବାର ଆବଣ୍ଟିତ କରାଯାଇଛି। 

ଉପଲବ୍ଧ ସୂଚୀ ଅନୁସାରେ ରବିବାର ୪ ଆହତ ଓ ୧୫ ମୃତକଙ୍କ ପରିଜନଙ୍କୁ ଏହି ଚେକ୍ ବିତରଣ କରାଯାଇଛି। ଏହି ସହାୟତା ରାଶି ବିତରଣ କାଳରେ ସାଂସଦ ଜଶୁଭାଇ ରାଠଭା ଓ ବିଧାୟକ ଚୈତନ୍ୟ ସିଂହ ଝାଲା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିଜନଙ୍କୁ ସମବେଦନା ଜଣାଇବା ସହିତ ଦୁର୍ଘଟଣା ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି।  ସେହିପରି ଯେଉଁ ମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚେକ୍ ବିତରଣ ସମୟରେ ସ୍ଥାନୀୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.