ବାଲିଗୁଡ଼ା ୦୯।୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅଭାବନୀୟ ଘଟଣା । ଅଜଣା ଗାଡ଼ି ଧକ୍କାରେ ବାପା-ପୁଅଙ୍କର ମୃତ୍ୟୁ ହୋଇଛି । ଯାହାପରେ ପୁରା ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବାଲିଗୁଡ଼ା ଥାନା ସିର୍ଶୀପାଙ୍ଗା ଗାଁର ହେମ କହଁର (ବାପା) ଓ ନୀଳକଣ୍ଠ କହଁର (ପୁଅ) ବାଇକ୍ ଯୋଗେ ରାଇପଙ୍ଗା ଗାଁକୁ ଯାଉଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ ଗାଲୀଗୁରା ଘାଟି ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ବାପା ହେମ କହଁରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୁଅ ନୀଳକଣ୍ଠକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ଫୁଲବାଣୀ ଟାଉନ୍ ଥାନା ପୋଲିସ ଏବଂ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଦୁର୍ଘଟଣା ପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିବାରୁ ଦୁଇ ନୀରିହଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।