ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଭାବନୀୟ ଦୃଶ୍ୟ । ଫିଙ୍ଗାଯାଇଛି ଲକ୍ଷ ଲକ୍ଷ ଟଙ୍କା ଔଷଧ। ଅବଶ୍ୟ ଏସବୁର ଅବଧି ସରିଯାଇଛି। ହେଲେ ଏଠି ପ୍ରଶ୍ନ ଉଠିଛି ଲୋକଙ୍କୁ ଔଷଧ ସହଜରେ ମିଳୁନଥିବାବେଳେ ଏତେମାତ୍ରାର ଔଷଧକୁ ବିତରଣ ନକରାଯାଇ କାହିଁକି ପକାଇ ରଖାଯାଉଛି, ଆଉ ଶେଷରେ ଏକ୍ସପାଏରୀ ସରିବା ପରେ ଫିଙ୍ଗି ଦିଆଯାଉଛି ?
ଖାଲି ଔଷଧ ନୁହେଁ, ଚିକିତ୍ସାଳୟ ପରିସରରେ ଥିବା ବାୟୋ ମେଡିକାଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠାରେ ପଡ଼ିଛି ଇଞ୍ଜେକ୍ସନ, ସାଲାଇନ୍, ସିରପ୍ ଆଦି ମଧ୍ୟ ପଡ଼ିରହିଛି। ଯାହାକୁ ଦେଖିଲେ ସ୍ପଷ୍ଟଭାବେ ଜଣା ପଡ଼ୁଛି ଯେ, ସରକାରୀ ଔଷଧ ଏଠାରେ ରୋଗୀଙ୍କୁ କିଭଳି ବିତରଣ ଚାଲିଛି । ସକାଳୁ ଏହି ସ୍ଥାନରେ ପଡ଼ିଥିବା ଏତେ ପରିମାଣର ଏକ୍ସପାରୀ ଔଷଧକୁ କେନ୍ଦ୍ର କରି ଆନନ୍ଦପୁରରେ ଚର୍ଚ୍ଚା ଲାଗି ରହିଛି।
ଔଷଧଗୁଡ଼ିକ ଏକ୍ସପାରୀ ହୋଇଥିଲେ ମଧ୍ୟ ଏକ୍ସପାରୀ ହେଉଥିବା ଔଷଧ ସମ୍ପର୍କରେ ପ୍ରଥମେ ଜଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୂଚନା ଦିଆଯିବା ସହ ସେଠାକୁ ପଠା ଯିବାର ନିୟମ ରହିଛି। ହେଲେ ସେସବୁ ନକରି ଏଭଳି ଭାବରେ ଫିଙ୍ଗାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ଏମିତିରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।