ପ୍ରତି ୧୨ ବର୍ଷରେ ଖଣ୍ଡ ଖଣ୍ଡ ହୋଇଯାଏ ଶିବଲିଙ୍ଗ, କଣ ରହିଛି ଏହା ପଛର ରହସ୍ୟ ?

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ ୦୩।୦୬: ସାରା ବିଶ୍ବରେ ରହିଛି ମହାଦେବଙ୍କ ଅନେକ ଚମତ୍କାରୀ ଏବଂ ରହସ୍ୟମୟୀ ମନ୍ଦିର । କିନ୍ତୁ ଭଗବାନ ଶିବଙ୍କର ଏକ ଅଦ୍ଭୁତ ମନ୍ଦିର ରହିଛି । ଯାହା ଏବେ ବି ରହିଛି ରହସ୍ୟ ଘେରରେ । ଏହି ମନ୍ଦିରରେ ଶିବଲିଙ୍ଗ ଉପରେ ହୋଇଥାଏ ବଜ୍ରପାତ । ସେ ପୁଣି ୧୨ ବର୍ଷରେ ଥରେ । 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ୨ଖଣ୍ଡ ହୋଇଯାଇଥାଏ ଶିବଲିଙ୍ଗ । କିନ୍ତୁ ଖଣ୍ଡିତ ଶିବଲିଙ୍ଗରେ ଲହୁଣୀ ଲଗାଇବା ଦ୍ବାରା ପୂର୍ବ ପରି ହୋଇଯାଇଥାଏ ଶିବଲିଙ୍ଗ । ଏହି ମନ୍ଦିରଟି ହିମାଚଳ ପ୍ରଦେଶର କୁଲ୍ଲୁରେ ରହିଛି । ଏଠାରେ କୈଳାଶପତି ବିଜଲି ମହାଦେବ ଭାବେ ଜଣାଯାଆନ୍ତି । ଏହା ଭଗବାନ ଶିବଙ୍କର ପ୍ରାଚୀନ ମଧ୍ୟରୁ ଗୋଟିଏ । 

ନିକଟରେ ଏହି ମନ୍ଦିର ଅର୍ନିଦ୍ଧିଷ୍ଟକାଳ ପାଇଁ ବନ୍ଦ ହୋଇଛି । କୁହାଯାଉଛି କି କିଛି ଦିନ ତଳେ ମନ୍ଦିର ଉପରେ ହୋଇଥିଲା ଭୟଙ୍କର ବଜ୍ରପାତ । ଆଉ ଏଥିରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଶିବଲିଙ୍ଗ । ଯେଉଁଥିପାଇଁ ମନ୍ଦିର ବନ୍ଦ ହୋଇଥିବା କୁହାଯାଉଛି । କିନ୍ତୁ ଏହା ପ୍ରଥମଥର ନୁହେଁ ପ୍ରତି ୧୨ ବର୍ଷରେ ଶିବଲିଙ୍ଗ ଉପରେ ହୋଇଥାଏ ବଜ୍ରପାତ । ଏବେ ପ୍ରଶ୍ନ ଆସୁଛି ଏହି ମନ୍ଦିର ଉପରେ କାହିଁକି ହେଉଛି ବଜ୍ରପାତ ? ଏହାପଛରେ କଣ ରହିଛି ରହସ୍ୟ ? ଆସନ୍ତୁ ଜାଣିବା…

ଲୋକକଥା ଅନୁଯାୟୀ, କୁଲାନ୍ତ ନାମକ ଏକ ଦୈତ୍ୟ ନିଜ ଶକ୍ତିର ଆଧାରରେ ସାପର ରୂପ ଧାରଣ କରି ନେଉଥିଲା। ଏହି ଦୈତ୍ୟ ଏକଦା ସାପ ରୂପ ଧାରଣ କରି ମଥାଣ ଗାଁ ନିକଟ ବ୍ୟାସ ନଦୀରେ ଏପରି ବସିଗଲା ଯେ ନଦୀର ପ୍ରବାହ ରହିଗଲା ଓ ସେହି ସ୍ଥାନରେ ହିଁ ପାଣି ବଢିବାକୁ ଲାଗିଲା। 

ଏହାଦେଖି ମହାଦେବ କ୍ରୋଧିତ ହୋଇଥିଲେ ଆଉ ମାୟା ରଚନା କଲେ। ମହାଦେବ ଦୈତ୍ୟ ନିକଟକୁ ଯାଇଥିଲେ ଏବଂ ତା’ ଲାଞ୍ଜରେ ନିଆଁ ଲାଗି ଯାଇଥିବା କହିଲେ । ଏହାଶୁଣି ଦୈତ୍ୟ ପଛକୁ ମୁହଁ କରିବା ମାତ୍ରେ ମହାଦେବ ତାକୁ ତ୍ରିଶୁଳରେ ପ୍ରହାର କରି ତା’ର ବଦ୍ଧ କରିଥିଲେ । ଏହି ଦୈତ୍ୟର ବିଶାଳକାୟ ଶରୀର ପାହାଡ଼ରେ ପରିବର୍ତନ ହୋଇଗଲା। ଯାହାକୁ କୁଲ୍ଲୁ ପାହାଡ଼ ବୋଲି କୁହାଯାଏ । 

କଥା ଅନୁସାରେ ମହାଦେବ ଦୈତ୍ୟର ବଦ୍ଧ କରିବା ପରେ ଇନ୍ଦ୍ରଙ୍କୁ କହିଥିଲେ ପ୍ରତି ୧୨ ବର୍ଷକୁ ଥରେ ଏଠାରେ ବଜ୍ରପାତ କରିବାକୁ । ଭଗବାନ ଏପରି କରିବା ପାଇଁ କହିବାର କାରଣ ହେଉଛି , କୌଣସି ଜନ-ଧନର କ୍ଷତି ନହେବା ପାଇଁ। ଭଗବାନ ନିଜେ ବଜ୍ରପାତର ପ୍ରଭାବକୁ ସହ୍ୟ କରି ନିଜ ଭକ୍ତଙ୍କର ରକ୍ଷା କରୁଥିବା ଲୋକ ବିଶ୍ୱାସ ରହିଛି । ଏହାର ଫଳ ସ୍ଵରୂପ ମନ୍ଦିରରେ ପ୍ରତି ୧୨ ବର୍ଷକୁ ଥରେ ଭୟଙ୍କର ବଜ୍ରପାତ ହୋଇଥାଏ । 

ବଜ୍ରପାତ କାରଣରୁ ମନ୍ଦିରର ଶିବଲିଙ୍ଗ ଖଣ୍ଡିତ ହୋଇଯାଏ । ଏହାପରେ ପ୍ରଭୁଙ୍କ ପୀଡା ଦୂର କରିବା ପାଇଁ ମନ୍ଦିରର ପୂଜାରୀ ଔଷଧ ସ୍ୱରୂପ ଗାଁରୁ ଲହୁଣୀ ଆଣି ଭଙ୍ଗା ଶିବଲିଙ୍ଗ ଉପରେ ଲଗାଇ ଲିଙ୍ଗକୁ ଯୋଡିଥାନ୍ତି ।  ଏହାପରେ ପାଣି ଢାଳି ଦିଆଯାଏ । ଯାହା ପରେ ଦେଖିଲେ କେହି ବି କହିପାରିବେନି ଶିବଲିଙ୍ଗ ଭାଙ୍ଗିଥିଲା କି ନାହିଁ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.