ଏଲନ ମସ୍କଙ୍କ ୩୦ବର୍ଷ ପୂର୍ବର ସେହି ମିଛ ସାଜିପାରେ ଟ୍ରମ୍ପଙ୍କ ଅସ୍ତ୍ର, ବାତିଲ ହୋଇପାରେ କି ଆମେରିକୀୟ ନାଗରିକତା ?

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ମଧ୍ୟରେ ଶତ୍ରୁତା ଏବେ ସମସ୍ତଙ୍କୁ ଜଣା। ଉଭୟଙ୍କ ମଧ୍ୟରେ ଏହି ଶତ୍ରୁତା ଏବେ ସବୁସୀମା ଅତିକ୍ରମ କରି ସାରିଛି। ଏହି କ୍ରମରେ ଟ୍ରମ୍ପ ମସ୍କଙ୍କୁ ଆମେରିକାରୁ ଡିପୋର୍ଟ କରି ଦେବାକୁ ଧମକ ଦେଇଛନ୍ତି। ଏହି ସ୍ଥିତିରେ ଏହା ଜାଣିବା ଜରୁରୀ ହୋଇଯାଇଛି ଯେ, ଜଣେ ନାଗରିକ ଭାବେ ଆମେରିକାରେ ରହୁଥିବା ଏଲନ ମସ୍କଙ୍କୁ ଡିପୋର୍ଟ କରାଯାଇ ପାରିବ କି? 

ଏଲନ ମସ୍କ ମୂଳତଃ ସାଉଥ୍‌ ଆଫ୍ରିକାର ବାସିନ୍ଦା। ତାଙ୍କର ଜନ୍ମ ପ୍ରିଟୋରିଆରେ ହୋଇଛି। କିନ୍ତୁ ସେ କିଶୋରାବସ୍ଥାରେ ସାଉଥ୍‌ ଆଫ୍ରିକାରୁ କାନାଡା ଚାଲିଯାଇ ଥିଲେ। ୧୯୯୫ରେ ସେ କାନାଡାରୁ ଆମେରିକା ଶିଫ୍ଟ ହୋଇଥିଲେ। ୱାଶିଂଟନ ପୋଷ୍ଟର ରିପୋର୍ଟ ମୁତାବିକ , ମସ୍କଙ୍କୁ ୧୯୮୯ରେ କାନାଡାର ନାଗରକିତା ମିଳିଥିଲା। ସେ କାନାଡାର କ୍ୱିନ୍ସ ୟୁନିଭର୍ସିଟିରେ ପାଠପଢା ଆରମ୍ଭ କରିଥିଲେ ଏବଂ ପରେ ୧୯୯୨ରେ ସେ ଆମେରିକା ଚାଲିଯାଇ ଥିଲେ। ସେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଆଡମିସନ ପାଇଁ ଆମେରିକା ଯାଇଥିଲେ। କିନ୍ତୁ ସେ ପାଠପଢା ପୂରା କରିବା ପରିବର୍ତ୍ତେ ଆମେରିକାରେ ନିଜର ପ୍ରଥମ କମ୍ପାନୀ ଜିପ୍‌-୨ ଖୋଲି ଥିଲେ।

ଏଲନ ମସ୍କ ଷ୍ଟୁଡେଣ୍ଟ ଭିସା ଅର୍ଥାତ୍ ( ଜେ-୧ ବା ଏଫ୍‌-୧ ଭିସା)ରେ ଆମେରିକା ଆସିଥିଲେ। ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଆଡମିସନ ପାଇଁ ଷ୍ଟୁଡେଣ୍ଟ ଭିସାରେ ଆମେରିକା ଆସିଥିଲେ। ଷ୍ଟୁଡେଣ୍ଟ ଭିସାରେ କାମ କରିବାର ଦୃଢ ସର୍ତ୍ତ ହୋଇଥାଏ। ମସ୍କ ଭିସା ମିଳିବା ପରେ ଷ୍ଟାନଫୋର୍ଡରେ ପାଠପଢା ପୂରା କରି ନଥିଲେ ଏବଂ ଜିପ୍‌-୨ରେ କାମ କରିବା ଆରମ୍ଭ କରିଦେଲେ , ଯେଉଁଥି ପାଇଁ ଭିସାର ସର୍ତ୍ତର ଉଲ୍ଲଘଂନ ହୋଇଛି। ଷ୍ଟୁଡେଣ୍ଟ ଭିସାଧାରୀଙ୍କୁ ବିନା ଅନୁମତିର ଷ୍ଟାର୍ଟଅପ୍‌ରେ କାମ କରିବାର ଅନୁମତି ନାହିଁ। 

ରିପୋର୍ଟ ମୁତାବିକ , ମସ୍କ ୧୯୯୭ରେ ଏଚ୍‌-୧ ବି ଭିସା ହାସଲ କରିଥିଲେ , ଯାହାକୁ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟରେ କାମ କରିବା ପାଇଁ ଦିଆଯାଏ। ଏହି ଭିସା ତାଙ୍କୁ ଜିପ୍‌-୨ରେ ବୈଧ ରୂପେ କାମ କରିବାର ଅନୁମତି ଦେଉଥିଲା। କୁହାଯାଇଛି ଯେ, ମସ୍କ ପରେ ଗ୍ରୀନ କାର୍ଡ ହାସଲ କରିଥିଲେ। ସେ ୨୦୦୨ରେ ନ୍ୟାଚୁରାଲାଇଜେସନର ପ୍ରକ୍ରିୟା ମାଧ୍ୟମରେ ଆମେରିକୀୟ ନାଗରିକ ହୋଇଗଲେ। ଏହି ପ୍ରକ୍ରିୟାରେ ସାଧାରଣତଃ ଗ୍ରୀନ କାର୍ଡଧାରୀ ଭାବେ ଅନେକ ବର୍ଷ ଯାଏ ନିବାସ କରିବା , ଏକ ନାଗରିକତା ପରୀକ୍ଷା ଦେବା ଓ ଏହି ସୁନିଶ୍ଚିତ କରିବା ସାମିଲ ହୋଇଥାଏ ଯେ , ଆବେଦନ କୌଣସି ବଡ଼ ଅପରାଧ ବା ପ୍ରବାସନ ଉଲ୍ଲଂଘନ କରି ନଥିବ। 

ୱାଶିଂଟନ ପୋଷ୍ଟ ୨୦୨୪ରେ କହିଛି ଯେ , ମସ୍କ ୧୯୯୫ରେ ଷ୍ଟାନଫୋର୍ଡରେ ନାମାଙ୍କନ କରି ନଥିଲେ ଏବଂ ଜିପ୍‌-୨ରେ କାମ ଆରମ୍ଭ କରିଥିଲେ, ଯାହା ତାଙ୍କର ଛାତ୍ର ଭିସା ସର୍ତ୍ତର ଉଲ୍ଲଙ୍ଘନ ଥିଲା। ସେ , ଜିପ୍‌-୨ର ନିବେଶକଙ୍କୁ ୧୯୯୬ରେ ମସ୍କଙ୍କର ପ୍ରବାସନ ସ୍ଥିତି ବିଷୟରେ ଚିନ୍ତା ଥିଲା ଏବଂ ସେମାନେ ମସ୍କ ଓ ତାଙ୍କର ସହ-ସଂସ୍ଥାପକଙ୍କ ସମ୍ମୁଖରେ ୪୫ ଦିନ ଭିତରେ ନିଜର ଷ୍ଟାଟସ କ୍ଲିୟର କରିବାର ସର୍ତ୍ତ ରଖି ଥିଲେ। ଏମିତି ଯଦି ନକରାଯାଏ ତ ନିବେଶ ପ୍ରତ୍ୟାହାର କରିନେବାକୁ କୁହାଯାଇ ଥିଲା।

ହେଲେ, ୨୦୦୫ରେ ଏକ ମାନହାନି ମୋକଦମାରେ ମସ୍କ ଏକ ଇମେଲରେ ସ୍ୱୀକାର କରିଥିଲେ ଯେ, ତାଙ୍କ ପାଖରେ ଷ୍ଟାନଫୋର୍ଡରେ ଆବେଦନ କରିବା ବ୍ୟତୀତ ଆମେରିକାରେ ରହିବାର କୌଣସି ଆଇନଗତ ଆଧାର ନଥିଲା, ଯେଉଁଥିରୁ ଏହା ସଙ୍କେତ ମିଳିଥାଏ ଯେ ସେ ନିଜର ସ୍ଥିତି ବିଷୟରେ ଜାଣି ଥିଲେ।

ଆମେରିକୀୟ ଆଇନ ଅନୁସାରେ , ନ୍ୟାଚୁରାଲାଇଜଡ୍‌ ନାଗରିକତାକୁ ବାତିଲ କରାଯାଇ ପାରେ। ଏଥିପାଇଁ ଏହା ସାବ୍ୟସ୍ତ କରିବାକୁ ହେବ ଯେ, ନାଗରିକତା ପାଇଁ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ଜାଣିଶୁଣି ଲୁଚାଯାଇଛି ଏବଂ ମିଛ କୁହାଯାଇଛି। ଯଦି ମସ୍କ ୨୦୦୨ରେ ନିଜର ନାଗରିକତା ଆବେଦନ ପ୍ରକ୍ରିୟା ବେଳେ ୧୯୯୫-୧୯୯୭ ମଧ୍ୟରେ ନିଜର ଅବୈଧ କାର୍ଯ୍ୟ ବିଷୟରେ ତଥ୍ୟ ଲୁଚାଇ ଥିଲେ , ତ ସିଦ୍ଧାନ୍ତ ରୂପେ ତାଙ୍କର ନାଗରିକତା ବାତିଲ କରାଯାଇ ପାରେ।

ଏଥିପାଇଁ ସରକାରଙ୍କୁ ଏହା ସାବ୍ୟସ୍ତ କରିବାକୁ ହେବ ଯେ ମସ୍କ ଜାଣିଶୁଣି ଭୁଲ ତଥ୍ୟ ଦେଇଛନ୍ତି ,ଯାହା ତାଙ୍କର ନାଗରିକତା ପାଇଁ ନିର୍ଣ୍ଣାୟକ ଥିଲା। ଯଦି ମସ୍କଙ୍କ ନାଗରିକତା ରଦ୍ଦ ହୋଇଯାଏ ତ, ସେ ସ୍ୱତଃ ହିଁ କାନାଡୀୟ ନାଗରିକ ହୋଇଯିବେ, ଏହି କାରଣରୁ ତାଙ୍କୁ କାନାଡା ଡିପୋର୍ଟ କରି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.