ଭୁବନେଶ୍ୱର : ଚୁପ ଚାପ୍ ଶୋଇଛି ହାତୀ... କଟା ଗଛର ଗଣ୍ଡିକୁ ଶୁଣ୍ଢରେ କୁଣ୍ଢେଇ ସୋଇଛି ସେ। ହଲଚଲ ହେଉନି କି ଉଠୁନି... ପୂରା ଗୁମସୁମ୍ କାହିଁକି। ଗଜରାଜ କାହିଁକି ନୀରବ କେବଳ ନୀରବ ନୁହେଁ ତାଙ୍କ ଆଖିରୁ ଝରୁଛି ଲୁହ ... ମନରେ ଅନେକ କୋହ.. ଅନିଶ୍ଚିତ ଭବିଷ୍ୟତ ... ଅସୁରକ୍ଷିତ ସମୟ ...ଶେଷ ହୀନ ଯନ୍ତ୍ରଣା। କାରଣ ବିଶ୍ୱାସଘତକତାର ଶିକାର ଗଜରାଜ... ଗୁଣୁ ଗୁଣୁ ହୋଇ କହୁଛନ୍ତି...ଗଛ ତ କାଟିଦେଲ ... ଜଙ୍ଗଲ ତ ନଷ୍ଟ କରିଦେଲ ଆମେ ରହିବୁ କେଉଁଠି, ଖାଇବୁ କଣ । ଆମେ ବଞ୍ଚିବା ପାଇଁ ବିକଳ ହେଉଛୁ...ତମେ ଆମକୁ କଲବଲ କରି ମାରୁଛ...ତମ ମାନଙ୍କ ଏପରି ପରିବର୍ତ୍ତନରେ ଆମେ ଚିନ୍ତିତ.. ବ୍ୟଥିତ। ବଂଶଧରଙ୍କ ପାଇଁ ବିବ୍ରତ। ବିଲୋପର ଭୟରେ ନୀରବ ନିଶ୍ଚଳ... ଅସ୍ତିତ୍ୱ ନେଇ ଚିନ୍ତିତ ଗଜରାଜ ଗୁଣୁଗୁଣେଇ କେତେ କଥା କହୁଛନ୍ତି... ହେ ମଣିଷମାନେ ତମେ କିପରି ଏତେ ଅମଣିଷ ପାଲଟିଗଲ ... ଦିନେ ପୂଜା କରୁଥିଲ ... ଆମ ମୂର୍ତ୍ତୀ ସବୁ ସୌବାଗ୍ୟ ଓ ସଫଳତାର ସଂକେତ ବୋଲି ଗଲାମାଳି କରୁଥିଲ। କାନ୍ଥରେ ଆମ ଝୋଟି ଆଙ୍କି ମା ଲକ୍ଷ୍ମୀଙ୍କ ବାହନ ଓ ଧନର ଉତ୍ସ ବୋଲି କହୁଥିଲ। କିନ୍ତୁ ଏବେ ଧନ ଲୋଭରେ ଆମ ଜୀବନ ନେି ଚାଲିଛ। ଆମ ଦାନ୍ତଟା ତମକୁ ବଡ଼ ସମ୍ପଦର ଏକ ବିରାଟ ଟ୍ରେଜେରୀ ଭଳି ଲାଗୁଛି। ବିନା ଦୋଷରେ ଆମକୁ ମାରି ଦଉଛ। ଦିନେ ଧାନ ନଡ଼ିଆ ଖୁଆଉଥିଲ , ମୁଣ୍ଡିଆ ମାରୁଥିଲ । ଏବେ ବିଷ ଆଉ ଗୁଳି ଖୁଆଉଛ। ଜଙ୍ଗଲ ସଫା କରି ଆମ ଅଧିକାର ଛଡ଼େଇ ନେଉଛ। ପ୍ରଚଣ୍ଡ ଶବ୍ଦରେ ତମ ଲୌହ ଦାନବ ଆମ ପାଇଁ ଯମ ସାଜିଛି। ଖଦ୍ୟ ଓ ପାଣି ନପାଇ ଆମେ ତମ ବସତୀକୁ ଆସିବାକୁ ବାଧ୍ୟ ହେଉଛି। କାରମ ଆମ ବାସ ସଙ୍କୁଚିତ , ତମ ବସତୀ ବଢ଼ି ବଢ଼ି ଚାଲିଛି। ଆମ ଅଧିକାର ଚଢ଼େଇ ନେଇଛ ତମ ଅଧିକାରରେ ଜୀବନ ନେଉଛ। ଅଥଚ ଲେଖା ଓ ଭାଷାରେ ଆମର ଅନେକ ପ୍ରଶଂସା କରୁଛ... ମିଛ ଲୁହ ଗଡ଼ାଉଛ। ଆମକୁ କଲବଲ କରି ମାରୁଛ କିନ୍ତୁ ଆମ ଚିତ୍ର ଉପରେ ଛିଡ଼ା ହୋଇ କେତେ ଭାଷଣ ମାରୁଛ। ତମ ଭୟରେ ଆମେ ବୁର୍ଖା ପିନ୍ଧିଛୁ ବୋଲି ଚିତ୍ର ବି ଦେଖାଉଛ। ସତରେ କଣ ତମେ ଆମ ପାଇଁ ଏତେ ଚିନ୍ତିତ। ସେଇଥି ପାଇଁ ତ ବାଲିର ମୂର୍ତ୍ତିରେ ଗଜରାଜ ନୀରବ ନିଶ୍ଚଳ। ଗଜରାଜଙ୍କ ଏ କୋହଭରା ଗୁଣୁ ଗୁଣୁ କଥାର କାରଣ ଟି କଣ। କାରଣ ଟା ବେଶ୍ ସ୍ପଷ୍ଟ । କିନ୍ତୁ ନିଜକୁ ସବୁଠୁ ବୁଦ୍ଧିଆ ଓ ସର୍ବଶକ୍ତିମାନ କିନ୍ତୁ ଅତ୍ୟନ୍ତ ଲୋଭୀ ମଣିଷମାନେ ଠିକ୍ ବୁଝୁଥିଲେ ବି ଅବୁଝାର ଅଭିନୟ କରନ୍ତି। ତେବେ କଣ ଗଜରାଜଙ୍କ ଚିନ୍ତା , ଆଶଙ୍କା ସତ ହେବ। ଡାଇନୋଶର ଭଳି ଫଟୋରେ ହାତୀ ଚିତ୍ର ଦେଖିବେ ଆମ ଭଭିଷ୍ୟତ ବଂଶଧର।।
ସତରେ ଭଲକି ବୁଝିଲେ ଏଦିନ ଯେ ଆଉ ବେଶି ଡେରି ନାହିଁ ତାହା ମନେ ହୁଏ... କାହିଁକିନା ହାତୀ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଏବେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ। କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ନିକଟରେ କେନ୍ଦୁଝର ବନଖଣ୍ଡରୁ ୫ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିନେଇ ଜବତ କରିଥିଲା ୫କେଜି ଓଜନର ୪ ହାତୀଦାନ୍ତ। ଦନ୍ତା ଦାନ୍ତ ପାଇବାକୁ ପ୍ରତିବର୍ଷ ଅନେକ ଗଜରାଜଙ୍କୁ ମାରି ଦିଆଯାଉଛି। ଆଉ କେଉଁଠି ଶିକାରୀ ଗୁଳିରେ ହାତୀ ଟଳିବା ପରେ ଦାନ୍ତ କାଟି ନେଉଛନ୍ତି। ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ମୃତ୍ୟୁ ପରେ ପ୍ରାୟ ସବୁ ହାତୀଙ୍କ ଦାନ୍ତ କାଟି ନେଇଛନ୍ତି ଶିକାରୀ । ଟ୍ରେନ୍ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ମରିଛନ୍ତି ୧୦୩ଟି ହାତୀ। ବିଦ୍ୟୁତ ଝଟ୍କା ଖାଇ ୧୨୩ଟି ହାତୀଙ୍କ ପ୍ରାଣ ଯାଇଛି । ଏଥିରୁ ଅଧିକାଂଶ ହାତୀଙ୍କ ଦାନ୍ତ ଗାଏବ ହୋଇଯାଇଛି । ଏସ୍ଟିଏଫ୍ ତଥ୍ୟ କହୁଛି, ବନ୍ୟଜନ୍ତୁ ତସ୍କରୀ ବିରୋଧରେ ୨୦୨୦ରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ରେ ଏପର୍ଯ୍ୟନ୍ତ ୫୮ଟି ହାତୀଦାନ୍ତ ଉଦ୍ଧାର କରାଯାଇଛି । ହାତୀ ଶିକାର ଖାଲି ଏବେ ହେଉନି ଆଦିମକାଳରୁ ଦାନ୍ତ ପାଇଁ ହାତୀ ଶିକାର କରାଯାଉଛି।
କିନ୍ତୁ ହାତୀ ଦାନ୍ତର କାହିଁକି ଏପରି ଚାହିଦା। ହଁ ହାତୀ ଦାନ୍ତରୁ ସୌଖୀନ ସାମଗ୍ରୀ ସହ ବିରଳ ଔଷଧ ପ୍ରସ୍ତୁତ ହେଉଛି । ଆଉ ଏହି ହାତୀ ଦାନ୍ତର ଲିଙ୍କ୍ ଓଡି଼ଶାରୁ ଚୀନ୍ ଯାଏଁ। ହାତୀ ଦାନ୍ତରୁ ପ୍ରସ୍ତୁତ ହେଉଥିବା ନାନା ଔଷଧ ପାଇଁ ଚୀନ୍ର କିଛି ଅନ୍ତର୍ଜାତୀୟ ମାଫିଆ ଉତ୍ତର-ପୂର୍ବ ଭାରତକୁ ଟାର୍ଗେଟ୍ କରିଛନ୍ତି । ଏମାନେ ତସ୍କରଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଦାନ୍ତ କିଣୁଛନ୍ତି । ଆସାମ, ମଣିପୁର, ମିଜୋରାମ୍ ଓ ଓଡ଼ିଶାରେ ଅଧିକାଂଶ ହାତୀକୁ ମାରି ଦାନ୍ତ କାଟି ନେଉଛନ୍ତି ।
ପୂର୍ବରୁ ହାତୀକୁ ଦେଖିଲେ ଭୟରେ ଥରହର ହେଉଥିଲେ ଲୋକେ। କିନ୍ତୁ ଏବେ ଆଉ ସେ ଦିନ କାହିଁ ... ଏବେ ତ ତାଙ୍କ ସର୍ବନାଶରେ ମାତିଛି ଏ ସମାଜ... ସ୍ୱର୍ଗରେ ଥାଇ ବି ସେ ଗୁମୁରି କାନ୍ଦୁଛି ...ନାଁ ତାର ରାମୁ ... ଦିନ ଥିଲା ନା ଶୁଣିଲେ ମନରେ ସୃଷ୍ଟି ହେଉଥିଲା କୋକୁଆ ଭୟ। ରାଜଧାନୀ ଉପରକଣ୍ଠ ଭରତ ପୁରରେ ମଚାଉତିଲା ଉପଦ୍ରବ। ଡମପଡ଼ା, ଚନ୍ଦକା ଓ ଚୂନକାଳି ପର୍ଯ୍ୟନ୍ତ ସବୁଠି ଥିଲା ରାମୁର ଆତଙ୍କ। ରାମୁ ଆତଙ୍କରେ ରାତିରେ ଶୋଉ ନଥିଲେ ଲୋକେ। କିନ୍ତୁ ଏବେ ସେ ପାଲଟି ଯାଇଛି ଇତିହାସ। ଗତବର୍ଷ ଅଗଷ୍ଟରେ ପ୍ରାଣ ହରାଇଥିଲା ରାମୁ। ବର୍ଷକ ପରେ ତାର କଙ୍କାଳ ସଂରକ୍ଷଣ ପାଇଁ ଯୋଜନା କରିଛି ବନ ବିଭାଗ । କେବଳ ରାମୁ ନୁହେଁ ଲିଶା , ବାସନ୍ତୀ, ଓ ହୀରାଙ୍କର ଭିନ୍ନ ଭିନ୍ନ କାହଣୀ। ଲିସା , ମାଠୁ ଅଲଗା ହୋଇ ବି ପ୍ରାଣୀ ଚିକିତ୍ସାଳୟରେ ଖୁସିରେ ଅଛି। ସେପଟେ ପ୍ରାଣୀ ଉଦ୍ୟାନରେ ହାତୀ ଶାଳରେ ରହୁଥିବା ହାତୀ ବାସନ୍ତୀ ଏବେ ଅସୁସ୍ଥ। ପ୍ରାଣୀ ଉଦ୍ୟାନରେ ଏକମାତ୍ର ହାତୀ ବାସନ୍ତୀ, ଯିଏ ମା ହେବାର ସୌଭାଗ୍ୟ ଅର୍ଜନ କରିଛି। ସେମାନଙ୍କ ସୁରକ୍ଷା ଏବେ ଆମ ପାଇଁ ଚ୍ୟାଲେଞ୍ଜ୍।
ହାତୀ ମାନଙ୍କର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ୨୦୧୨ ମସିହା ଅଗଷ୍ଟ ୧୨ ତାରିଖଠାରୁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି । କିନ୍ତୁ ସଚେତନତା ଅଭାବରୁ ଦିନକୁ ଦିନ ହାତୀ ବଂଶ ଲୋପ ପାଇବାକୁ ବସିଲାଣି । ପ୍ରତ୍ୟେକ ଦିନ ହାତୀ ମୃତ୍ୟୁର ଖବର। ଏହାର ମୁଖ୍ୟକାରଣ ହାତୀ ମଣିଷଙ୍କ ମଧ୍ୟରେ ଲଢେଇ । ମୁନୁଷ୍ୟର ହିଂସାତ୍ମକ ଆଚରଣ ପାଇଁ ବିଶାଳକାୟ ଜୀବ ଏବେ ଅସୁରକ୍ଷିତ। ଅନ୍ୟପଚଟେ ରାଜ୍ୟରେ ଜଙ୍ଗଲ କ୍ଷୟ ଯୋଗୁଁ ହାତୀଙ୍କ ରହଣିସ୍ଥଳ ଲୋପ ପାଉଛି । ରାଜ୍ୟରେ ଯେତିକି ହାତୀ ରହିବା କଥା ତା’ଠୁ ୪୦୦ ଅଧିକ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ହାତୀଗୁଡିକ ହେଉଛନ୍ତି ଜନବସତି ମୁହାଁ । ଫଳରେ ମୁହାଁମୁହିଁ ହେଉଛନ୍ତି ହାତୀ-ମଣିଷ । ଧନଜୀବନ ହାନି ଘଟୁଛି । ଦୀର୍ଘ ବର୍ଷ ଧରି ଚାଲୁଥିବା ଏହି ଲଢ଼େଇର ଅନ୍ତ ଘଟୁନି । ବନ ବିଭାଗ ତଥ୍ୟ ଆଧାରରେ, ୨୦୧୭-୧୮ ମସିହାରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀଭଙ୍କ ଜୀବନ ଗଲାଣି। ୧୧୭ଟି ହାତୀଙ୍କ ହୋଇଛି ସ୍ୱାଭାବିକ ମୃତ୍ୟୁ । ବାକି ସବୁ ମୃତ୍ୟୁ ଅସ୍ୱାଭାବିକ ଆଉ ଉଦ୍ବେଗଜନକ । ଟ୍ରେନ୍ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍କା ଖାଇ ୧୨୩ଟି ହାତୀ, ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ହାତୀ ସଂଖ୍ୟା ତୁଳନାରେ ମୃତ୍ୟୁହାର ପାଖାପାଖି ୩ରୁ ୪.୫ ପ୍ରତିଶତ ଭିତରେ ରହୁଛି । ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍) ବର୍ଷେ ତଳେ ହାତୀଙ୍କ ସଂରକ୍ଷଣ ଉପରେ ଗବେଷଣା କରିଥିଲା । ଏହାର ତଥ୍ୟ ଅନୁସାରେ ଓଡ଼ିଶାର ୫୨ ହଜାର ୪୩୩.୫୬ ବର୍ଗ କିମି ଅଞ୍ଚଳରେ ଜଙ୍ଗଲ ବ୍ୟାପିଛି । ଯାହାକି, ରାଜ୍ୟର ସମୁଦାୟ ଭୌଗଳିକ ଆୟତନର ୩୩.୬୭ ପ୍ରତିଶତ । ଏସବୁ ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଗତବର୍ଷ ହୋଇଥିବା ରାଜ୍ୟ ହାତୀଗଣନା ତଥ୍ୟ ଅନୁସାରେ ୨୦୯୮ଟି ହାତୀ ରାଜ୍ୟରେ ଚଳପ୍ରଚଳ କରୁଛନ୍ତି । ମୋଟ ୩୮ଟି ବନଖଣ୍ଡରେ ନିଜ ଉପସ୍ଥିତି ଜାହିର୍ କରିଛନ୍ତି ଗଜରାଜ ।
ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପୂର୍ବତନ ପିସିସିଏଫ୍ ବିଜୟ କେତନ ପଟ୍ଟନାୟକଙ୍କ କହିବା ମୁତାବକ, ହୁ ହୁ ହୋଇ ମାଡ଼ି ଚାଲିଥିବା ଜନବସତି ହାତୀ ବଂଶ ପାଇଁ କାଳ ପାଲଟିଛି । ଖାଦ୍ୟ ଅଭାବ ଯୋଗୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗିଣା ହାତୀ ହିଁ ଅଧିକ ମାତ୍ରାରେ ମରୁଛନ୍ତି । ୨୦୧୦ରେ ସର୍ଭେ ବେଳେ ବନ ବିଭାଗ ୧୪ଟି ହାତୀ କରିଡର ଚିହ୍ନଟ କରିଥିଲା । ୧୫ଟି ଡିଭିଜନ୍ରେ ଏସବୁ ହାତୀ କରିଡ଼ର ସମୁଦାୟ ୮୭୦.୬୧ ବର୍ଗ କିଲୋମିଟର ଯାଏଁ ଲମ୍ବିଛି । ହେଲେ ଆଜି ପର୍ଯ୍ୟନ୍ତ ଏହି ହାତୀ କରିଡ଼ର ବିଧିବଦ୍ଧ ଘୋଷଣା ହୋଇନାହିଁ । ହାଇକୋର୍ଟରେ ଏନେଇ ମାମଲା ବିଚାରାଧୀନ ଅଛି । ତେବେ ଇଣ୍ଟରନ୍ୟାସନାଲ ୟୁନିୟନ ଫର୍ କନଜରଭେସନ ଅଫ୍ ନେଚର (ଆଇୟୁସିଏନ୍) ର ମାର୍ଗଦର୍ଶିକା ଆଧାରରେ ଜୈବ ବିବିଧତା ବଜାୟ ରଖିବା ପାଇଁ ଚନ୍ଦକା ବନଖଣ୍ଡର ଗୋଡି଼ବାରୀରେ ଏକ ସ୍ଥାୟୀ ହାତୀ ଗବେଷଣା କେନ୍ଦ୍ର କରାଯିବ । ତବେ ଶେଷରେ ଏତିକି କହି ପାରିବା କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ହିଂସାତ୍ମକ ଆଚରଣକୁ ନେଇ ପୃଥୀବ ବିଶାଳକାୟ ଜୀବ ଆଜି ବିଲୁପ୍ତ। ତେଣୁ ଏବେ ସମୟ ଆସିଛି, ହାତୀ ପାଇଁ ଏକାଠି ହେବା। କାହିଁକିନା ହାତୀଙ୍କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଆହ୍ୱାନ।