ନୂଆଦିଲ୍ଲୀ: ୧୭,୦୦୦ କୋଟି ଟଙ୍କାର ଏକ ଋଣ ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ମଙ୍ଗଳବାର ଶିଳ୍ପପତି ଅନିଲ ଅମ୍ବାନୀ ଇଡିରେ ହାଜର ହୋଇଛନ୍ତି। ନିକଟରେ ଏହି ମାମଲାରେ ଇଡି ତାଙ୍କୁ ସମନ ନୋଟିସ କରିଥିଲା। ଏହା ସହ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର (ଏଲଓସି) ମଧ୍ୟ ଜାରି କରିଥିଲା। ଯେଉଁଥିରେ ତାଙ୍କର ଦେଶ ଛାଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ରିପୋର୍ଟ ଅନୁସାରେ , ED ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ଆଇନ (PMLA) ଅନୁସାରେ ଏହି ତଦନ୍ତ କରୁଛି।
ପୂର୍ବରୁ ଜୁଲାଇ ୨୪ରେ ବଡ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା ଇଡି। କେନ୍ଦ୍ରୀୟ ଏଜେନ୍ସୀ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହ ଜଡ଼ିତ ୩୫ ଠିକଣା, ୫୦ଟି କମ୍ପାନୀ ସର୍ଚ୍ଚ କରିବା ସହ ୨୫ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ଏହି ସର୍ଚ୍ଚ ଏକ ମନି ଲଣ୍ଡରିଂ ମାମଲାରେ CBI ଦ୍ବାରା ଦାଖଲ ଏଫଆଇଆର ପରେ ହୋଇଛି।
ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରୁ ବ୍ୟାଙ୍କ, ନିବେଶକ ଏବଂ ସାର୍ବଜନୀନ ପ୍ରତିଷ୍ଠାନଗୁଡ଼ିକୁ ଠକି ସାର୍ବଜନୀନ ପାଣ୍ଠି ହଡ଼ପ କରିବା ପାଇଁ ଏକ "ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଯୋଜନା" କରାଯାଇଛି। ୟେସ୍ ବ୍ୟାଙ୍କର ଭୂମିକା, ଏହାର ତତ୍କାଳୀନ ପ୍ରମୋଟରଙ୍କୁ ମଧ୍ୟ ସ୍କାନରରେ ରଖାଯାଇଛି। ଇଡି ସନ୍ଦେହ କରୁଛି ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରାୟ ୩ ହଜାର କୋଟି ଟଙ୍କାର ଋଣ ବେଆଇନ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଇଡିର ତଦନ୍ତ, ନ୍ୟାସନାଲ ହାଉସିଂ ବ୍ୟାଙ୍କ, ସେବି, ନ୍ୟାସନାଲ ଫାଇନାନ୍ସିଆଲ୍ ରିପୋର୍ଟିଂ ଅଥରିଟି (NFRA) ଏବଂ ବ୍ୟାଙ୍କ ଅଫ୍ ବରୋଦା ସମେତ ଅନେକ ନିୟାମକ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ମିଳିଥିବା ସୂଚନା ଉପରେ ଆଧାରିତ ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଏହି ମାମଲା ୨୦୧୭ରୁ ୨୦୧୯ ମଧ୍ୟରେ ଘଟିଛି। ଅନିଲ ଅମ୍ବାନୀଙ୍କ ସହ ଜଡ଼ିତ ରିଲାଏନ୍ସ ଗ୍ରୁପ୍ର କମ୍ପାନୀଗୁଡ଼ିକୁ କେବଳ ୟେସ୍ ବ୍ୟାଙ୍କ ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣ ଦେଇଥିଲା। ମାତ୍ର ଇଡିର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଏହି ଋଣକୁ ନକଲି କମ୍ପାନୀ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ପଠାଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ୟେସ୍ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଲାଞ୍ଚ ନେଇଥାଇପାରନ୍ତି।