ଭୂକମ୍ପରେ ବାରମ୍ୱାର ଦୋହଲୁଛି ପାକିସ୍ତାନ ମାଟି, ଫାଇଦା ଉଠାଉଛନ୍ତି କଏଦୀ

Published By : Prameya-News7 Bureau | June 03, 2025 IST

ପେଶାଓ୍ୱାର ୦୩/୦୬: କଏଦୀଙ୍କୁ ବି ରଖିପାରୁନି ପାକିସ୍ତାନ । ଭୂକମ୍ପ ଫାଇଦା ନେଇ ଜେଲ୍‌ରୁ ଚମ୍ପଟ ମାରିଛନ୍ତି ୨୦୦ ରୁ ଅଧିକ କଏଦୀ । ସୋମବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚୀରେ ଥିବା ମାଲିର ଜିଲ୍ଲା ଜେଲରୁ ମୋଟ ୨୧୬ ଜଣ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । 

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ଏବଂ ଜେଲ ଅଧିକାରୀମାନେ କହିଛନ୍ତି ଯେ ସହରରେ କ୍ରମାଗତ ମୃଦୁ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ଦୌଡ଼ା ଦୌଡ଼ି ମଧ୍ୟରେ କଏଦୀମାନେ ଚମ୍ପଟ ମାରିଥିଲେ । ଅନେକ କଏଦୀ ପୂର୍ବରୁ ସେମାନଙ୍କ ବାରାକ ବାହାରେ ଥିଲେ, ସେମାନେ ଏହି ଧାଁଦୌଡ଼ର ସୁଯୋଗ ନେଇ ଜେଲ କର୍ମଚାରୀଙ୍କ ଉପରେ ଚାପ ପକାଇଥିଲେ । ଆଉ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରି ଫେରାର ହୋଇଯାଇଥିଲେ । 

ଜେଲ୍ ପରିସର ଭିତରେ ଏବଂ ଆଖପାଖରେ ପ୍ରବଳ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୋଲିସ ଏବଂ ରେଞ୍ଜର୍ସମାନେ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଥିବାରୁ ଜାତୀୟ ରାଜପଥ ସମେତ ଅନେକ ରାସ୍ତାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । 

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଏସଏସପି ମାଲିର କାଶିଫ ଆଫତାବ ଆବାସି କହିଛନ୍ତି, "ପୋଲିସ୍ ଏବଂ ଅର୍ଦ୍ଧସାମରିକ ବାହିନୀର ଏକ ବଡ଼ ଦଳ କିଛି ମିନିଟ୍ ମଧ୍ୟରେ ଜେଲରେ ପହଞ୍ଚି ନିକଟବର୍ତ୍ତୀ ଜନବସତି, ରାଜପଥ ଓ ଗାଁଗୁଡ଼ିକୁ ସିଲ୍ କରିଦେଇଛନ୍ତି । ଫେରାର୍‌ କଏଦୀଙ୍କୁ ଗିରଫ କରିବାରେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରାଯାଇଥିଲା । 

ରିପୋର୍ଟ ଅନୁଯାୟୀ, ଯେତେବେଳେ ଭୂମିକମ୍ପ ହୋଇଥିଲା, ସେତେବେଳେ ସର୍କଲ ନମ୍ବର ୪ ଏବଂ ୫ ର ୬୦୦ରୁ ଅଧିକ କଏଦୀ ସେମାନଙ୍କ ବାରାକ ବାହାରେ ବସିଥିଲେ । ଏହା ପରେ ଧାଁଦୌଡ଼ର ସୁଯୋଗ ନେଇ କଏଦୀମାନେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଜେଲକୁ 'ଯୁଦ୍ଧ କ୍ଷେତ୍ରରେ' ପରିଣତ କରିଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜେଲ କର୍ତ୍ତୃପକ୍ଷ ଗୁଳି ଚଳାଇଲେ । ଏନକାଉଣ୍ଟର ସମୟରେ, ଦୁଇ ଜଣ ଫ୍ରଣ୍ଟିୟର୍ କର୍ପସ କର୍ମଚାରୀଙ୍କ ସମେତ ଅତି କମରେ ପାଞ୍ଚ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନି ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ଜିନ୍ନା ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.