ୟୁକ୍ରେନକୁ ସହାୟତା ଦେବ ଡଚ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ, ଯୋଗାଇବ ନୂଆ ରାଇନମେଟାଲ ଅର୍ମାଇନ ଯାନ

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ: ୟୁକ୍ରେନକୁ ନୂଆ ରାଇନମେଟାଲ ଅର୍ମାଇନ ଯାନ ଯୋଗାଇବ ଜର୍ମାନ ପ୍ରତିରକ୍ଷା ମନ୍ତ୍ରାଳୟ। ଏନେଇ ନେଦରଲ୍ୟାଣ୍ଡର ଦି ହେଗରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଏକ ଚୁକ୍ତି ସ୍ୱାକ୍ଷର ପରେ ଏହି ଘୋଣଣା ହୋଇଛି। ବଡ଼ କଥା ହେଲା ୟୁକ୍ରେନ ହେଉଛି ଏହି ନୂତନ ପିଢ଼ୀର ଟାକ୍ଟିକାଲ ପ୍ଲାଟଫର୍ମ ପାଇଁ ପ୍ରଥମ ଅର୍ଡର ପାଇବାରେ ବିଶ୍ୱରେ ପ୍ରଥମ ଦେଶ।

‘ରାଇନମେଟାଲ ଡିଫେନ୍ସ ନେଦରଲ୍ୟାଣ୍ଡ’ ଦ୍ୱାରା ନିର୍ମିତ ଅର୍ମାଇନ ଯାନ ମୁଖ୍ୟତଃ ଯୁଦ୍ଧକ୍ଷେତ୍ରରୁ ଆହତ ସୈନିକମାନଙ୍କୁ ଉଦ୍ଧାର ପାଇଁ ଡିଜାଇନ କରାଯାଇଛି। ଏହି ଯାନଗୁଡ଼ିକରେ ହାଲୁକା ବଗି ରହିଛି। ଯାହା ଯୁଦ୍ଧକ୍ଷେତ୍ରରେ ଆହତଙ୍କୁ ଦ୍ରୁତ ପରିବହନ ଯୋଗାଇଦେଇଥାଏ। ଫଳରେ ଯୁଦ୍ଧ କ୍ଷେତ୍ରରେ ତ୍ବରିତ ବେଗରେ ସହାୟତା ମିଳିପାରିଥାଏ। ଆଉ ମୃତାହତ ସଂଖ୍ୟା କମ ରହିଥାଏ। 

ରାଇନମେଟାଲ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁସାରେ, ଅର୍ମାଇନ ହେଉଛି ଏକ ହାଲୁକା ଟାକ୍ଟିକାଲ ସିଷ୍ଟମ। ଏହା ଡିଜେଲ ଇଞ୍ଜିନ ସହିତ ଇଲେକ୍ଟ୍ରିକ ମୋଟରକୁ ନେଇ କାମ କରିଥାଏ ଏବଂ ଏହା 'ସାଇଲେଣ୍ଟ ମୁଭ୍ ଓ ସାଇଲେଣ୍ଟ ୱାଚ୍' ସୁବିଧା ପ୍ରଦାନ କରିଥାଏ। ଏହାର ସର୍ବାଧିକ ରେଞ୍ଜ ରହିଛି ୧୨୦୦ କିଲୋମିଟର ଏବଂ ଏହା ଏକ ଟନ ପର୍ଯ୍ୟନ୍ତ ଭାର ବହନ କରିପାରେ। ଏହା କଠିନ ଭୂଖଣ୍ଡରେ ୫୦ କିଲୋମିଟର ଏବଂ ସାଧାରଣ ରାସ୍ତାରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ନକରି ଚାଲିପାରିବ।"

ଏହା ଶତ୍ରୁପକ୍ଷଙ୍କ ଗୁଇନ୍ଦାଗିରିକୁ ଏଡ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଟାକ୍ଟିକାଲ ସୁବିଧା ପ୍ରଦାନ କରେ। ଇଲେକ୍ଟ୍ରିକ ଇଞ୍ଜିନ ଯୁଦ୍ଧକ୍ଷେତ୍ରରେ ଥିବା ସୈନିକମାନଙ୍କ ପାଇଁ ଚାର୍ଜିଂ ପଏଣ୍ଟ ମଧ୍ୟ ଯୋଗାଇବାରେ ସହଯୋଗ କରିଥାଏ। ଅବଶ୍ୟ ୟୁକ୍ରେନକୁ ଏହା ୨୦୨୬ରେ ମିଳିବ। 

ଏହା ସହ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡିକ ସ୍କୁଫ ୟୁକ୍ରେନ ପାଇଁ ଏକ ନୂଆ ସାମରିକ ସାହାଯ୍ୟ ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁଥିରେ ୧୦୦ ଡ୍ରୋନ ରାଡାର ସିଷ୍ଟମ, ଫ୍ରଣ୍ଟଲାଇନ ଯାନ ଏବଂ ଡ୍ରୋନ ପାଇଁ ୮୦ ନିୟୁତ ୟୁରୋ (୯୦ ନିୟୁତ ଡଲାରରୁ ଅଧିକ)ର ଆର୍ଥିକ ରାଶି ଅନ୍ତର୍ଭୁକ୍ତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.