ନୂଆଦିଲ୍ଲୀ ୨୫/୦୬: ଛାତିରେ ଅଜସ୍ର ଦୁଃଖ । ବାସ୍ପରୁଦ୍ଧ ହୋଇଯାଉଛି କଣ୍ଠ । ଏମିତିକି ଆଖିରେ ଲୁହ ବୋହିଯାଉଛି । ତଥାପି ଗର୍ବରେ ଫାଟିପଡୁଛି ଛାତି । ଓଦା ଆଖିରେ ବି ଗର୍ବର କରତାଳି । ପାଟିରୁ ଶବ୍ଦ ବାହାରୁନଥିଲେ ବି, ପୁଅ ପାଇଁ ବୋହି ପଡୁଛି ସ୍ନେହ । କାରଣ ସେ ସମୟ ଥିଲା ସେପରି । ପୁଅକୁ ମହାକାଶ ବିଦା କରିବାକୁ ଦୁଃଖ ଯେତିକି, ଖୁସି ବି ସେତିକି ଡବଲ ।
କେବଳ ବାପା-ମାଆ ନୁହେଁ ସାରା ଦେଶ ଶୁଭାଂଶୁଙ୍କ ପାଇଁ ଗର୍ବୀତ । ଶୁଭାଂଶୁଙ୍କ ପିତା ଶମ୍ଭୁ ଦୟାଲ କହିଛନ୍ତି- ମୋ ପୁଅର ସଫଳତା କେବଳ ଲକ୍ଷ୍ନୌ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଶୁଭାଂଶୁଙ୍କ ମିଶନ୍ ଲଞ୍ଚ ହେଉଥିବା ଦେଖି ଆମେ ବହୁତ ଉତ୍ସାହିତ ଓ ଖୁସି ।
ଆମର ଆଶୀର୍ବାଦ ତାଙ୍କ ସହିତ ଅଛି । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତାଙ୍କର ମିଶନ୍ ସଫଳ କରି ସେ ବାହୁଡିଆସନ୍ତୁ । କେବଳ ବିଶ୍ୱ ନୁହେଁ ଉତ୍ତର ପ୍ରଦେଶ, ଲକ୍ଷ୍ନୌ ସହ ଆମ ଦେଶ ପାଇଁ ଗୌରବ ଆଣୁଛନ୍ତି ଶୁଭାଂଶୁ ।
୨୫ ଜୁନ୍ ରେ ଆକ୍ସିଅମ୍ ମିଶନ୍-୪ ଲଞ୍ଚ ହୋଇଛି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ପାଇଁ ଯାତ୍ରା କରିଛନ୍ତି ଶୁଭାଂଶୁ । ଡ୍ରାଗନ୍ କ୍ୟାପସୁଲ୍ ସହ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶକୁ ଯାତ୍ରା କରିଛନ୍ତି । ସଫଳ ଉତ୍କ୍ଷେପଣକୁ ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି। ଏହି ସମୟରେ ବେଶ ଭାବପ୍ରବଣ ହୋଇପଡିଥିଲେ ଶୁଭାଂଶୁଙ୍କ ପିତାମାତା ।
ଆପଣଙ୍କୁ କହି ରଖୁଛୁ ଯେ ଲକ୍ଷ୍ନୌର ବାସିନ୍ଦା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ରାକେଶ ଶର୍ମାଙ୍କ ପରେ ମହାକାଶରେ ପାଦ ଦେବାରେ ଦ୍ୱିତୀୟ ଭାରତୀୟ ହେବେ । ଏହି ଗର୍ବର ମୁହୂର୍ତ୍ତରେ ତାଙ୍କ ପରିବାର ସହିତ ସମଗ୍ର ଦେଶରେ ଖୁସିର ପରିବେଶ ରହିଛି । ଉତକ୍ଷେପଣ ପୂର୍ବରୁ ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଲା ତାଙ୍କର ଭାବନା ପ୍ରକାଶ କରି କହିଥିଲେ - ଆମ ପାଇଁ ସେ ଏପର୍ଯ୍ୟନ୍ତ ପିଲା । ସେ ଆଜି ମଧ୍ୟ ସେହିପରି ଅଛି ଯେପରି ସେ ପିଲାବେଳେ ଥିଲା । ମୁଁ ମଙ୍ଗଳବାର ସନ୍ଧ୍ୟାରେ ଶୁଭାଂଶୁଙ୍କ ସହ କଥା ହୋଇଥିଲି। ଶୁଭାଂଶୁ ତାଙ୍କୁ କହିଥିଲେ - ମମି, ମୁଁ ଭଲ ଅଛି, ମୁଁ ମଜା କରୁଛି, ମୁଁ ମହାକାଶକୁ ଯିବା ପାଇଁ ବହୁତ ଉତ୍ସାହିତ ।