ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍କୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆ ଟାରିଫ୍ ୧୦-୨୦%ରୁ ଆରମ୍ଭ ହୋଇ ୬୦- ୭୦% ପର୍ଯ୍ୟନ୍ତ ହେବ। ଆଉ ସବୁ ଦେଶ ଅଗଷ୍ଟ ୧ରୁ ଏହି ଶୁଳ୍କ ପରିଶୋଧ କରିବା ଆରମ୍ଭ କରିବାକୁ ହେବ। ଏଥିପାଇଁ ଶୁକ୍ରବାର ୧୦ରୁ ୧୨ ଦେଶକୁ ନୋଟିସ ପଠାଯିବ। ସେହିଭଳି ବାକି ଦେଶଙ୍କୁ ମଧ୍ୟ କିଛି ଦିନରେ ଚିଠି ମିଳିଯିବ। ଏମିତିରେ ଏହା ୯ ତାରିଖ ସୁଦ୍ଧା ଏହା ସଂପୂର୍ଣ୍ଣ ଭାବେ ଲାଗୁ ହୋଇଯିବ ବୋଲି କହିଛନ୍ତି ଟ୍ରମ୍ପ୍।
ସୂଚନାଥାଉକି, ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ରେ ‘ଲିବରେସନ ଡେ ଟାରିଫ୍’ର ଘୋଷଣା କରିଥିଲେ।ଯେଉଁଥିରେ ଟ୍ରମ୍ପ ଆମେରିକାକୁ ୧୦୦ରୁ ଅଧିକ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲଗାଇବା କଥା କହିଥିଲେ। ଏହାର ଉଦ୍ଦେଶ୍ୟ ଘରୋଇ ଉତ୍ପାଦନକୁ ବଢ଼ାଇବା। ଅବଶ୍ୟ, ଏହା ପୂର୍ବରୁ ଟ୍ରମ୍ପ ଏପ୍ରିଲ ୯ରେ ଲାଗୁ ହେବାକୁ ଥିବା ଏହି ଟାରିଫ୍ ଉପରେ ୯୦ ଦିନର ରୋକ୍ ଲଗାଇଥିଲେ। ଏହି ରୋକ୍ ଜୁଲାଇ ୯ରେ ଶେଷ ହେଉଛି।
ତେବେ ଏହି ନିଷ୍ପତ୍ତିର ପ୍ରଭାବ ସେହି ଦେଶଙ୍କ ଉପରେ ପଡ଼ିବ ଯେଉଁମାନେ ଆମେରିକାକୁ ବହୁଳ ମାତ୍ରାରେ ସାମଗ୍ରୀ ରପ୍ତାନୀ କରୁଛନ୍ତି। ଭାରତ, ଚୀନ, ଭିଏତନାମ, କାମ୍ବୋଡିଆ ଭଳି ଦେଶ ଏହାଦ୍ବାରା ସିଧା ସଳଖ ପ୍ରଭାବିତ ହେବେ। ଏହାର ପ୍ରଭାବ ଉଭୟ ପକ୍ଷର ବାଣିଜ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିପାରେ।
ଏପର୍ଯ୍ୟନ୍ତ କେବଳ ବ୍ରିଟେନ, ଭିଏତନାମ ଏବଂ ଚୀନ ଆମେରିକା ସହ ବାଣିଜ୍ୟ ବୁଝାମଣା କରିଛନ୍ତି। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯେଉଁ ଦେଶର ଡିଲ୍ ହୋଇନାହିଁ ସେମାନଙ୍କୁ ଅଧିକ ଟାରିଫ୍ ଦେବାକୁ ପଡ଼ିପାରେ।