ନୂଆଦିଲ୍ଲୀ : ମଧ୍ୟ ପୂର୍ବରେ ସ୍ଥିତି ପୁଣି ଥରେ ବିସ୍ଫୋରକ ହୋଇ ଉଠିଛି। ଇସ୍ରାଏଲ ଇରାନର ନ୍ୟୁକ୍ଲିୟର ଠିକଣା ଓ ଆବାସିକ ଅଞ୍ଚଳ ଉପରେ ଭୀଷଣ ଏୟାର ଷ୍ଟ୍ରାଇକ୍ କରି ସବୁକିଛି ବିନାଶ ଲୀଳା ରଚିଛି। ହମଲାରେ ଅତି ଗୁରୁତର ହୋଇଥିବା ଇରାନ ପାଲଟା ଆକ୍ରମଣର ଚେତାବନୀ ମଧ୍ୟ ଦେଇଛି। ଏହି ହମଲା ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ନାକୁ ଆସିଛନ୍ତି। ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଟ୍ରୁଥ୍ ସୋସିଆଲ ମିଡ଼ିଆରେ ଇରାନକୁ ଦେଇଛନ୍ତି ଧମକ। କହିଛନ୍ତି , ତାଙ୍କୁ ଏହି ହମଲାର ପୂର୍ବରୁ ସୂଚନା ଥିଲା। ଇରାନ ପାଖରେ ଏବେ ପରମାଣୁ ଚୁକ୍ତି କରିବାର ସମୟ ... ଡିଲ୍ କରିନିଅ , ନୁହେଁତ ସବୁ କିଛି ଶେଷ ହୋଇଯିବ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଇରାନକୁ ବାରମ୍ୱାର ସୁଯୋଗ ଦେଇଛି , ଯଦି ଏବେ ଡିଲ୍ ନକର ତ ପରବର୍ତ୍ତୀ ହମଲା ଆହୁରି ବିପଜ୍ଜନକ ହେବ।
ଟ୍ରମ୍ପଙ୍କ ଏହି ଧମକ ସେତେବେଳେ ଆସିଛି , ଯେବେ ଇସ୍ରାଏଲ ଦାବି କରିଛି ଯେ, ସେ ଇରାନର ପରମାଣୁ କାର୍ଯ୍ୟକ୍ରମର ହାର୍ଟରେ ହମଲା କରିଛି। ଏହି ହମଲାରେ ଇରାନର ସଶସ୍ତ୍ର ବାହିନୀର ପ୍ରମୁଖ ମହମ୍ମଦ ବାଘେରୀ ଓ ରିଭଲ୍ୟୁସନାରୀ ଗାର୍ଡ୍ସର କମାଣ୍ଡର ହୁସୈନ ସଲାମୀ ସମେତ ୬ ଜଣ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ଜୀବନ ଯାଇଛି। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନେଇ ଏହାକୁ "ଯୁଦ୍ଧର ଘୋଷଣା" ଦର୍ଶାଇ କଡ଼ା ଓ ଯନ୍ତ୍ରଣାଦାୟକ ପ୍ରତିକ୍ରିୟା ଦିଆଯିବା ନେଇ ଚେତାବନୀ ଦେଇଛନ୍ତି।
ଇରାନୀ ମିଡ଼ିଆ ଅନୁସାରେ ,ରାଜଧାନୀ ତେହରାନ ସହ ଅନେକ ସହରରେ ମିସାଇଲ ହମଲାରେ ବିଲ୍ଡିଂ ଧ୍ୱଂସ ହୋଇ ଯାଇଛି ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଇରାନର ବିଦେଶ ମନ୍ତ୍ରୀ ଆମେରିକାକୁ ଚିଠି ଲେଖି ଜରୁରୀ ବୈଠକର ଦାବି କରିଛନ୍ତି ଏବଂ ଇସ୍ରାଏଲ ଉପରେ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିବାର ଅଭିଯୋଗ ଲଗାଇଛନ୍ତି। ଇରାନ ସେନା କହିଛି ଯେ, ଏବେ ଆମର ପ୍ରତିକ୍ରିୟାର କୌଣସି ସୀମା ହେବ ନାହିଁ।
ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ମୁଁ ଇରାନକୁ ବାରମ୍ୱାର ବୁଝାମଣା କରିବାକୁ ସୁଯୋଗ ଦେଇଛି। ମୁଁ ସ୍ପଷ୍ଟ ଶବ୍ଦରେ କହିଥିଲି- ଏବେ ଡିଲ୍ କରି ନିଅ। ସେ ଚେଷ୍ଟା କଲେ , ପାଖରେ ବି ପହଞ୍ଚିଲେ , କିନ୍ତୁ କରି ପାରିଲେ ନାହିଁ। ମୁଁ ପୂର୍ବରୁ ହିଁ ତାକୁ ଚେତାବନୀ ଦେଇଥିଲି ଯେ, ଯାହା ହେବାକୁ ଯାଉଛି , ତାହା ତାଙ୍କ ଭାବନା ଠାରୁ ମଧ୍ୟ ବହୁତ ଅଧିକ ଭୟାନକ ହେବ। ଆମେରିକା ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଘାତକ ଅସ୍ତ୍ର ତିଆରି କରିଥାଏ ଏବଂ ଇସ୍ରାଏଲ ପାଖରେ ଏହି ଅସ୍ତ୍ର ବହୁ ମାତ୍ରାରେ ଅଛି- ଆହୁରି ବି ଆସିବାର ଅଛି। ତାଙ୍କୁ ଏହାର ବ୍ୟବହାର କରିବା ବି ଆସିଛି। ଇରାନର କିଛି କଟ୍ଟର ନେତା ବଡ଼ ବଡ଼ କଥା କହୁ ଥିଲେ, କିନ୍ତୁ ତାଙ୍କୁ ଜଣା ନଥିଲା ଯେ, ତାଙ୍କ ସହ କଣ ହେବାକୁ ଯାଉଛି। ଏବେ ସେମାନେ ସମସ୍ତେ ନିହତ ହୋଇ ସାରିଛନ୍ତି। ଯଦି ଇରାନ ଚୁକ୍ତି ନକରେ ତ ସ୍ଥିତି ଆହୁରି ଖରାପ ହେବ। ଏବେସୁଦ୍ଧା ବହୁତ ଧ୍ୱଂସ ଓ ମୃତ୍ୟୁ ହୋଇ ସାରିଛି ,ହେଲେ ଏବେ ବି ସମୟ ଅଛି ଏହାକୁ ରୋକିବାକୁ। ପରବର୍ତ୍ତୀ ହମଲା ଏହାଠାରୁ ବିପଜ୍ଜନକ ହେବ। ସବୁ କିଛି ଶେଷ ହୋଇ ଯିବା ଆଗରୁ ଏବଂ ସେ ସବୁ ଯାହାକୁ ଇରାନୀ ସାମ୍ରାଜ୍ୟ କୁହାଯାଉଛି, ସବୁ ମାଟିରେ ମିଶିବା ଆଗରୁ , ଇରାନକୁ ଚୁକ୍ତି କରିବାକୁ ହେବ। ଏହେ ଆଉ ବିନାଶ ନୁହେଁ , ମୃତ୍ୟୁ ନୁହେଁ-ବୁଝାମଣା କରି ନିଅ , ଏହା ପୂର୍ବରୁ ଯେମିତି ଡେରି ହୋଇ ନଯାଉ। ଭଗବାନ ଆପଣ ସମସ୍ତଙ୍କର ଭଲ କରନ୍ତୁ।
ଇସ୍ରାଏଲ ଜରୁରୀକାଳୀନ ଘୋଷଣା କରି ଦେଇଛି। ଜାର୍ଡନ ଓ ଇରାକ୍ ନିଜର ଆକାଶ ପଥ ବନ୍ଦ କରି ଦେଇଛନ୍ତି। ଅନେକ ଉପସାଗରୀୟ ଦେଶ ଇରାନ , ସିରିଆ , ଲେବାନନ ଓ ଇରାକ୍ ପାଇଁ ବିମାନ ଚଳାଚଳ ବାତିଲ କରି ଦେଇଛନ୍ତି। ତେହରାନ ଏୟାରପୋର୍ଟ ବନ୍ଦ ରହିଛି ।