ଯାଜପୁର ୧୩/୦୬: ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ୍ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୪ ରେ ପହଞ୍ଚିଛି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି । ଜିଲ୍ଲାର ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି ।
ଏହାସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଏବେ ଯାଏଁ ୬ ଶହରୁ ଅଧିକ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ସବୁ ରୋଗୀଙ୍କ ପାଖରେ ଗୋଟିଏ ଲକ୍ଷଣ ଝାଡାବାନ୍ତି । ମୁଖ୍ୟତଃ ଡିହାଇଡ୍ରେସନ ପାଇଁ ମୃତ୍ୟୁ ହେଉଛି । ଘରକୁ ଘର ବୁଲି ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଗାଁରେ ପହଞ୍ଚି ଜଳ ଓ ଝାଡା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ୩ଟି ରାଜ୍ୟସ୍ତରୀୟ ମେଡିକାଲ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ।" ସେପଟେ ଗାଁ ଗାଁରେ WHO ଟିମ୍, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।