ଢେଙ୍କାନାଳ, ୨୩/୦୭ : କୁଆଡେ ଗଲା ମୋ ଝିଅ । ୩ ମାସ ହେଲାଣି ମିଳୁନି ପତ୍ତା । ପୋଲିସକୁ ଗୁହାରୀ କରି କରି ଥକିଗଲିଣି । ଥାନା ଠାରୁ ଏସ୍ପିଙ୍କ କାର୍ଯ୍ୟାଳୟ ସବୁଠି ଗୁହାରୀ । କେହି ଶୁଣୁନାହାନ୍ତି ଅଭିଯୋଗ । ମୋ ଝିଅ ଏଠି ନଥିବ, କୁଆଡେ ଦଲାଲଙ୍କ ହାବୁଡରେ ପଡିସାରିବଣି ।
ଏକଥା ଆମେ କହୁନୁ ବରଂ କୋହଭରା କଣ୍ଠରେ ବଖାଣିଛନ୍ତି ଜଣେ ହତାଭାଗା ବାପା । ଢେଙ୍କାନାଳରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ବାପାର କଥା ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ । ସଦର ଥାନା ଅଞ୍ଚଳର ୧୭ ବର୍ଷିୟା ନାବାଳିକା ୩ ମାସ ତଳେ ଗତ ଏପ୍ରିଲ ୮ ତାରିଖରେ ଘର ଛାଡ଼ି ଚାଲିଯାଇଛନ୍ତି । ତେବେ ପାଖ ଗାଁ ପାଖର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ତାଙ୍କୁ ଫୁସୁଳାଇ ଅପହରଣ କରିନେଇଥିବା ବାପା ସଦର ଥାନାରେ ଅଭିଯୋଗ କରିଛନ୍ତି ।
ନାବାଳିକା ଘରୁ ଯିବା ବେଳେ ୩ ଲକ୍ଷ ଟଙ୍କା, ସୁନା ଗହଣା ସହ ଫିକ୍ସ ରହିଥିବା ୪ ଲକ୍ଷ ଟଙ୍କାର ପାସ୍ ବୁକ୍ ଆଦି ନେଇଯାଇଛନ୍ତି । ଏନେଇ ସେ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ବି ରୁଜୁ କରିଥିଲା । ହେଲେ ଖୋଜିବାରେ କୌଣସି ଆନ୍ତରିକତା ଦେଖାନଥିବା ବାପା ଅଭିଯୋଗ କରିଛନ୍ତି । ଥାନାରୁ ନ୍ୟାୟ ନପାଇ ଗତ ମେ’ ୩ ତାରିଖରେ ସେ ଏସ୍ପିଙ୍କୁ ବି ଫେରାଦ ହୋଇଥିଲେ ।
ଏସ୍ପିଙ୍କ କାର୍ଯ୍ୟାଳୟରୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଝିଅକୁ ଖୋଜାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି । କାରଣ ପୂର୍ବରୁ ତାଙ୍କ ଅଞ୍ଚଳରେ ଏପରି କିଛି ଘଟିଛି । ପୂର୍ବରୁ କିଛି ବର୍ଷ ତଳେ ଆଉ ଜଣେ ନାବାଳିକାକୁ ଫୁସୁଲାଇ ନେଇ କଲିକତାରେ ବିକ୍ରି କରି ଦିଆଯାଇଥିଲା । ଦେଢ଼ ବର୍ଷ ପରେ ପୋଲିସ୍ କଲିକତାରୁ ଉଦ୍ଧାର କରିଥିଲା । ଏବେ ମଧ୍ୟ ସମାନ ଘଟଣା ଘଟିଥିବା ବାପା ଆଶଙ୍କା କରିଛନ୍ତି । ମାସେ ମଧ୍ୟରେ ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ପୋଲିସ ଆନ୍ତରିକତା ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ଏସଡିପିଓ କହିଛନ୍ତି, ମାମଲା ରୁଜୁ ହେବା ପରେ ନାବାଳିକାଙ୍କୁ ଉଦ୍ଧାର ପାଇଁ ପୋଲିସ୍ ଟିମ୍ ସମସ୍ତ ପ୍ରକାର ଉଦ୍ୟମ କରିଛି । ଫୋନ ଟ୍ରାକିଂଠାରୁ ନେଇ ବାହାରକୁ ଟିମ୍ ଯାଇ ଖୋଜାଖୋଜି କରି ଫେରିଛନ୍ତି । ହେଲେ କୌଣସି ଖୋଜ୍ଖବର ମିଳିନାହିଁ । ତଥାପି ଉଦ୍ୟମ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦୋରା କହିଛନ୍ତି ।