ସମ୍ବଲପୁର ୨୧।୬: ସମ୍ବଲପୁରରେ ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ ହୋଇଯାଇଛି । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠ ଓ ମହାନଦୀର ଉପକୂଳ ଅଞ୍ଚଳରେ ସମ୍ବଲପୁର ଜନସାଧାରଣଙ୍କ ସହ ଯୋଗ ଦିବସ ପାଳିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଯୋଗ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସ୍କୁଲରୁ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ-୨୦୨୫ ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଧର୍ମେନ୍ଦ୍ର ପ୍ରଧାନ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଧର୍ମେନ୍ଦ୍ର କହିଥିଲେ ଯେ, ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ୨୦୧୪ରେ ପ୍ରଧାନମନ୍ତ୍ରୀ ଜୁଜ୍ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଭାରତର ପ୍ରସ୍ତାବକୁ ୧୫୦ରୁ ଅଧିକ ଦେଶ ସମର୍ଥନ ଦେଇଥିଲେ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ । ବ୍ଲଡ୍ ପ୍ରେସର, ମଧୁମେହ ଭଳି ରୋଗକୁ ପ୍ରତିହତ କରିବା ପାଇଁ ଆମକୁ ଏକ ସୁସ୍ଥ ଜୀବନଶୈଳୀକୁ ବିକଶିତ କରିବା ପାଇଁ ପଡ଼ିବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ସମ୍ବଲପୁରର ଗୋଟିଏ ଚରିତ୍ର, ସଂସ୍କୃତି ଓ ଉତ୍ସାହ ଅଛି । ଶାରିରୀକ ସୁସ୍ଥତାରେ ସମ୍ବଲପୁର ରାଜ୍ୟ ଓ ଦେଶର ପ୍ରମୁଖ ଅଞ୍ଚଳ ଭାବରେ ଉଭା ହେଉଛି । କ୍ରୀଡ଼ା, ବ୍ୟୟାମ, କୁସ୍ତି ତଥା ପ୍ରାତଃ ଭ୍ରମଣ ଓ ସଂଧ୍ୟା ଭ୍ରମଣ ଲୋକମାନଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ସମସାମୟିକ ସମୟରେ ଆମକୁ ସମ୍ବଲପୁରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଡ଼ିବ । ଆଗାମୀ ଦିନରେ ଯେପରି ସମ୍ବଲପୁର ଜିଲ୍ଲାର ପ୍ରତିଟି ଗାଁର ନାଗରିକମାନେ ଯୋଗ ଦିବସ ପାଳନ କରିବେ, ସେ ଦିଗରେ ଆମେ ପ୍ରସ୍ତୁତି କରିବା ଦରକାର । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ସମ୍ପନ୍ନତା ଆଣିବା ପାଇଁ ପ୍ରୟାସ କରିବା ସହ ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗକୁ ଗ୍ରହଣ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ପାଳିଥିଲେ ।
You Can Read:
ଗୋପାଳପୁରରେ ପୁଣି ଲଜ୍ଜା, ଅନ୍ଧାର ଦେଖି ମହିଳାଙ୍କୁ ପଛପଟୁ ମାଡିବସିଲେ ଯୁବକ