୧୨ ହଜାର ଫୁଟ୍ ଉଚ୍ଚରୁ ଆସିଲା ପାଣି, ଘଣ୍ଟାପ୍ରତି ବେଗ ଥିଲା ୪୩ କି.ମି., ୩୦ ସେକେଣ୍ଡରେ ଧରାଲୀ ନିଶ୍ଚିହ୍ନ

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତି ତାଣ୍ଡବ ରଚିଛି । ମଙ୍ଗଳବାର ଉତ୍ତରକାଶୀର ଧରାଲୀରେ ବାଦଲ ଫଟା ବର୍ଷା ପରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଧରାଲୀ ବ୍ୟତୀତ ସୁଖୀ ଶିଖର ନିକଟରେ ବି ବାଦଲ ଫାଟିଥିଲା । ଧରାଲୀର ଯେଉଁଠାରେ ବଦାଲ ଫାଟିଛି, ସେଠାରୁ ଗଙ୍ଗୋତ୍ରୀ ଧାମ ମାତ୍ର ୧୮ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନ ଭାରତୀୟ ସେନାର ହର୍ଷିଲ କ୍ୟାମ୍ପଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଅଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ମାତ୍ର ୩୪ ସେକେଣ୍ଡରେ ଧରାଲୀର ଆବାସିକ ଅଞ୍ଚଳରେ ଭୟଙ୍କର ବନ୍ୟା ଆସିଥିଲା । ବଦଲ ଫଟା ବର୍ଷା ପରେ ଖୀର ଗଙ୍ଗା ନଦୀରେ ବନ୍ୟା ଆସିଥିଲା । ସୁଖୀ ଶିଖରରେ କୌଣସି ଆବାସିକ ଅଞ୍ଚଳ ନାହିଁ । ଯେଉଁ ଭିଡିଓ ସାମନାକୁ ଆସିଛି, ସେଥିରେ ପାହାଡ଼ ଉପରୁ ମାଟି କାଦୁଅ ସହ ବନ୍ୟା ପାଣି ମାଡ଼ି ଆସୁଛି ଏବଂ ବାମ ମୋଡ଼ ନେବା ବେଳେ ନିଜ ସହ ଘର, ଦୋକାନ ଓ ହୋଟେଲକୁ ଭସାଇ ନେଉଛି । 

ଖୀର ଗଙ୍ଗା ନାଳର ପାଣି ଭାଗିରଥୀରେ ମିଶିଛି । ପ୍ରାୟ ୧୩.୫ ଏକର ଅଞ୍ଚଳ ପ୍ରଭାବିତ ହୋଇଛି । ପ୍ରବଳ ସ୍ରୋତ ସାମ୍ନାରେ ଥିବା ଘରଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଧରାଳୀ ଗାଁ ସମୁଦ୍ର ପତ୍ତନଠାରୁ ୧୨,୬୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଅବକ୍ଷୟ ଯୋଗୁଁ, ପାଣିର ଦିଗ ପରିବର୍ତ୍ତନ ହେଲା ଏବଂ ଏହା ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା । ପୂରା ଭୂସ୍ଖଳନ ଅଞ୍ଚଳ ଭାଗିରଥୀ ନଦୀ କୂଳରେ ଅଛି । ଘଣ୍ଟା ପ୍ରତି ୪୩ କିଲୋମିଟର ବେଗରେ ପାଣି ଏବଂ ମାଟି କାଦୁଅ ମାଡ଼ି ଆସିଥିଲା । ଖୀର ଗଙ୍ଗା ନଦୀ ଛୋଟ ଏବଂ ୧୨,୫୦୦ ଫୁଟ୍ ଉଚ୍ଚତାରେ ପ୍ରବାହିତ । ପ୍ରବାହର ଦିଗ ଧରାଳୀ ଗାଁ ଆଡକୁ ଥିଲା, ଯାହା ବ୍ୟାପକ କ୍ଷତି କରିଛି ।

ଭାଗିରଥୀ କୂଳରେ ଧରାଲୀ, ହର୍ଷିଲ ଓ ବେଲି ପରି ଅଞ୍ଚଳ ରହିଛି । ହର୍ଷିଲରେ ସେନା ମୁତୟନ ଥିବାରୁ ଉଦ୍ଧାରକାରୀ ଦଳ ଚାରି କିଲୋମିଟର ଯାତ୍ରା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । NDRF, SDRF ଏବଂ ITBPର ଦଳ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ କେବଳ ୪ ଜଣଙ୍କ ମୃତ୍ୟୁ ଏବଂ ୫୦ ଜଣ ନିଖୋଜ ଥିବା ସ୍ପଷ୍ଟ କରିଛି । କିନ୍ତୁ ସାମନାକୁ ଆସିଥିବା ପ୍ରଳୟର ଦୃଶ୍ୟରୁ ଅନୁମାନ କରାଯାଉଛି ଯେ ଏହା ବହୁତ ବଡ଼ ହୋଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.