ନୂଆଦିଲ୍ଲୀ ୨୩।୭: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇସାରିଲେଣି। ସୋମବାର ଘଟଣାକ୍ରମ ପରେ ତାଙ୍କ ଇସ୍ତଫା କାରଣରୁ ଓ କାର୍ଯ୍ୟକାଳକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ କୁହାଯାଉଛି ପ୍ରୋଟକଲ ପସନ୍ଦ କରୁଥିବା ଧନଖଡ଼ଙ୍କର ଏହି ପ୍ରକୃତି ଯୋଗୁ ଅନେକ ଥର ବିଦେଶ ଯାତ୍ରା କାଳରେ ଅଧିକାରୀଙ୍କ ସହ ମତଭେଦ ହେଉଥିଲା। ଧନଖଡ଼ ବିଦେଶ ଗସ୍ତ କାଳରେ ରାଷ୍ଟ୍ରପତିଙ୍କ ଭଳି ପ୍ରୋଟକଲ ଚାହୁଁଥିଲେ।
ଇକୋନମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ ଯେଉଁ ପ୍ରୋଟକଲକୁ ସେ ଉଚିତ ମନେକରୁଥିଲେ ତା ଉପରେ ସେ ଗୁରୁତ୍ୱ ଦେଉଥିବା କାରଣରୁ ଅଧିକାଂଶ ସମୟ ଅଧିକାରୀ ଅସହମତ ହେଉଥିଲେ। ସୂତ୍ରରୁ ମିଳୁଥିବା ସୂଚନାରେ କୁହାଯାଇଛି ଯେ ହୋଟେଲ ରୁମ ସମେତ ବିମାନ ପର୍ଯ୍ୟନ୍ତ ଧନଖଡଙ୍କୁ କଥିତ ରୂପେ ଏହା ଲାଗୁଥିଲା ଯେ ତାଙ୍କ ପଦବୀ ଅନୁସାରେ ତାଙ୍କୁ ସମ୍ମାନ ଦିଆଯାଉ ନାହିଁ। ରିପୋର୍ଟରେ ଇରାନ ରାଷ୍ଟ୍ରପତି ଇବ୍ରାହୀମ ରଇସୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବା ପାଇଁ ତାଙ୍କ ତେହେରାନ ଯାତ୍ରାର ଉଲ୍ଲେଖ ରହିଛି।
ଏଥିରେ କୁହାଯାଇଛି ଯେ ଧନଖଡ଼ ତାଙ୍କୁ ମିଳିଥିବା ହୋଟେଲ ରୁମକୁ ନେଇ ଆପତ୍ତି କରିଥିଲେ। ଧନଖଡ଼ ଭାବିଥିଲେ ଇରାନସ୍ଥିତ ଭାରତୀୟ ଦୂତାବାସ ତାଙ୍କ ପଦବୀ ଅନୁସାରେ ହୋଟେଲ ରୁମ ଦେବାର ଥିଲା। ତେବେ ଖାସ କଥା ଯାହା ତାହା ହେଉଛି ମିସନ ଏହା ସ୍ପଷ୍ଟ କରିଦେଇଥିଲେ ଯେ ରହିବା ବ୍ୟବସ୍ଥା ଆୟୋଜକ ଦେଶର ସରକାର କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଧନଖଡ଼ ଏହି ଯାତ୍ରାରେ ବିମାନକୁ ନେଇ ମଧ୍ୟ ଆପତ୍ତି କରିଥିଲେ। ସେ କହିଥିଲେ ଉପରାଷ୍ଟ୍ରପତିଙ୍କ ନିମନ୍ତେ ବଡ଼ ବିମାନ ବ୍ୟବସ୍ଥା ହୋଇଥିଲେ ଉଚିତ ହୋଇଥାନ୍ତା।
ଧନଖଡ଼ ଅନେକବାର ଏହା କହିଛନ୍ତି ଯେ ସେ ବିଦେଶ ଯାତ୍ରା କାଳରେ ରାଷ୍ଟ୍ରପତିଙ୍କ ଭଳି ପ୍ରୋଟକଲ ଆଶାକରନ୍ତି। ସମ୍ବାଦପତ୍ରକୁ ସୂତ୍ର କହିଛନ୍ତି ଯେ ତାଙ୍କୁ କୁହାଯାଇଛି ଯେ ଛୋଟ ଦେଶଙ୍କ ରାଷ୍ଟ୍ରପତି ମଧ୍ୟ ପ୍ରୋଟକଲ ମାମଲାରେ ଭାରତର ଉପରାଷ୍ଟ୍ରପତିଙ୍କଠାରୁ ଅଧିକ ସମ୍ମାନ ଦିଆଯାଏ। ରିପୋର୍ଟ ଅନୁସାରେ ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଧନଖଡ଼ କହିଥିଲେ ଯେ ‘ଆପଣମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନିଶ୍ଚିତ ଦେଖୁଥିବେ, ହେଲେ ଉପରାଷ୍ଟ୍ରପତିଙ୍କୁ ନୁହେଁ’। ତେବେ ସେ କହିଥିଲେ ମୁଁ ଯେବେ ଅଫିସ ଛାଡିବି ଏହା ସୁନିଶ୍ଚିତ କରିବି ମୋ ଉତ୍ତରାଧିକାରୀଙ୍କର ଯେପରି ଫଟୋ ରହେ।