ମୁମ୍ବାଇ ୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଶୁକ୍ରବାର ଅଣମରାଠା ଭାଷୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଭାଷା ନାମରେ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି। ମୁମ୍ବାଇରେ ଗଣମାଧ୍ୟମ ସହ ଆଲୋଚନାରେ ଫଡନବୀଶ କହିଛନ୍ତି ଯେ ‘ମହାରାଷ୍ଟ୍ରରେ ମରାଠା ଭାଷାକୁ ନେଇ ଗର୍ବ କରିବା ଭୁଲ ନୁହେଁ। ତେବେ ଭାଷାକୁ ନେଇ ଗୁଣ୍ଡାଗର୍ଦ୍ଦି କରୁଥିବା କୌଣସି ବ୍ୟକ୍ତିକୁ ଆମେ ବରଦାସ୍ତ କରିପାରିବୁ ନାହିଁ’।
ଫଡନବୀଶ କହିଛନ୍ତି ଯେ ଭାଷା ଆଧାରରେ ଲୋକଙ୍କ ଉପରେ ହିଂସା କେବେବି ସ୍ୱୀକାର୍ଯ୍ୟ ନୁହେଁ। ମହାରାଷ୍ଟ୍ର ନବ ନିର୍ମାଣ ସମିତି (ମନସେ) କାର୍ଯ୍ୟକର୍ତ୍ତା ସମ୍ପର୍କିତ ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମାମଲାରେ ପୋଲିସ ଏତଲା ରୁଜୁ କରିଛି ଓ ଉଚିତ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ଯଦି ଭବିଷ୍ୟତରେ କେହି ଏଭଳି ଭାଷା ଆଧାରିତ ଝଗଡାକୁ ଉସକାଏ ତେବେ ଆଇନକୁ କଡ଼ାକଡି ଲାଗୁ କରାଯିବ’।
#WATCH | Mumbai: Maharashtra CM Devendra Fadnavis says, "It is not wrong to be proud of the Marathi language in Maharashtra. But if someone indulges in hooliganism due to language, we will not tolerate it. If someone beats up people on the basis of language, this will not be… pic.twitter.com/9mZBiXfcm9
— ANI (@ANI) July 4, 2025
ରାଜ୍ୟରେ ଏପରି ବିଭାଜନ ସୃଷ୍ଟି କରୁଥିବା ଲୋକଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଆମେ ମରାଠା ହୋଇଥିବାରୁ ଗର୍ବିତ ଅନୁଭବ କରୁଥାଇପରୁ, ହେଲେ ଆମେ ଭାରତର କୌଣସି ଭାଷା ବିରୋଧରେ ଅନ୍ୟାୟର ଅନୁମତି ଦେବୁ ନାହିଁ। କେବେ କେବେ ଆଶ୍ଚର୍ଯ୍ୟ ଲାଗେ ଏହି ଲୋକେ ଯେଉଁମାନେ ଇଂରାଜୀକୁ ବେଶ ସହଜରେ ଗ୍ରହଣ କରୁଥିବା ବେଳେ ହିନ୍ଦୀକୁ ନେଇ ବିବାଦ ସୃଷ୍ଟି କରିବାକୁ ପସନ୍ଦ କରୁଛନ୍ତି’। ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀ ମନସେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ମୁମ୍ବାଇ ମୀରା ରୋଡରେ ଜନୈକ ଦୋକାନୀ ମରାଠୀ ନ କହିବାରୁ କଥିତ ରୂପେ ଆକ୍ରମଣ କରାଯିବା ଘଟଣାର କିଛି ଦିନ ପରେ ଆସିଛି। ରିପୋର୍ଟ ଅନୁସାରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବ୍ୟାପିଥିଲା। ଅନେକ ଦୋକାନୀ ହିଂସା ବିରୋଧରେ ଗୁରୁବାର ଦୋକାନ ବନ୍ଦ କରିଥିଲେ। କଥିତ ରୂପେ ଦୋକାନୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ମନସେର ୭ ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ତେବେ ଅଟକ ରଖିବାର କିଛି ଘଣ୍ଟା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଛି।