ନୂଆଦିଲ୍ଲୀ ୧୩।୬: ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ଓ ହିଟୱେଭ ମଧ୍ୟରେ ଏବେ ପାନୀୟ ଜଳ ସଂକଟ ଗୁରୁତର ରୂପ ଧାରଣ କରିଛି। ଯମୁନା ନଦୀର ୱଜିରାବାଦ ଜଳାଶୟରେ ଜଳ ସ୍ତର ଏବେ ହ୍ରାସ ହୋଇ ୬୬୮.୭୦ ପୁଟ ହୋଇଯାଇଛି। ଏହି ସମୟରେ ସ୍ୱଭାବିକ ଜଳ ସ୍ତର ୬୭୪.୫୦ ଫୁଟ ରହିବା କଥା। ଏଣୁ ୱଜିରାବାଦ ଓ ଚନ୍ଦ୍ରାବଲ ୱାଟର ପ୍ଲାଣ୍ଟରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଛି। ଏହି ସମସ୍ୟା ଯୋଗୁ ଉଭୟ ଜଳ ଯୋଗାଣ ପ୍ଲାଣ୍ଟରୁ ପେୟ ଜଳ ଯୋଗାଣ ପାଖାପାଖି ୨୫ରୁ୩୦% ହ୍ରାସ ହୋଇଛି।
ଜଳଯୋଗାଣ ହ୍ରାସ ଯୋଗୁ ରାଜଧାନୀ ଦିଲ୍ଲୀରେ ପାନୀୟ ଜଳ ସଂକଟ ଏବେ ଉତ୍କଟ ରୂପ ଧାରଣ କରିଛି। ପ୍ରାଭିବତ ଅଞ୍ଚଳରେ ଜଳ ପ୍ରେସର କମୁଥିବା ବେଳେ ଜଳ ଯୋଗାଣରେ ଅନିୟମିତତା ଉପୁଜିଛି। ୱଜିରାବାଦ ପ୍ଲାଣ୍ଟ ଯୋଗୁ ଯେଉଁ ସବୁ ଅଞ୍ଚଳକୁ ଜଳ ଯୋଗାଣ ପ୍ରଭାବିତ ହେଉଛି ସେଥିରେ ମଜନୁ କା ଟିଲା, ଆଇଏସବିଟି, ଜିପିଓ, ଏନଡିଏମସି କ୍ଷେତ୍ର, ଆଇଟିଓ, ଏଲଏନଜେପି ହସ୍ପିଟାଲ, ଡିଫେନ୍ସ କଲୋନୀ, ସିଜିଓ କମ୍ପ୍ଲେକ୍ସ, ରାଜଘାଟ, ଡବ୍ଲୁଏଚଓ, ରାମଲିଳା ମୈଦାନ, ଦିଲ୍ଲୀ ଗେଟ୍, ଗୁଲାବୀ ବାଗ୍, ତିମାରପୁର, ପଞ୍ଜାବୀ ବାଗ, ଶାଲିମାର ବାଗ, ବଜିରପୁର, ମଡେଲ ଟାଉନ, ବୁରାଡି, ସାଉଥ ଏକ୍ସଟେନସନ, ଜିକେ, କେଣ୍ଟ ଏରିୟା ଓ ଦକ୍ଷିଣ ଦିଲ୍ଲୀର ଅନେକ ଅଞ୍ଚଳ ରହିଛି।
ସେହିପରି ଚନ୍ଦ୍ରାବଲ ପ୍ଲାଣ୍ଟରୁ ଜଳ ଯୋଗାଣ ହ୍ରାସ ହେବା ଯୋଗୁ ଯେଉଁସବୁ କ୍ଷେତ୍ର ପ୍ରଭାବିତ ହୋଇଛି ସେଥିରେ ସିଭିଲ ଲାଇନ୍ସ, ହିନ୍ଦୁରାଓ ହସ୍ପିଟାଲ, କମଲାନଗର, ଶକ୍ତିନଗର, କରୋଲବାଗ, ପାହାଡ଼ଗଞ୍ଜ, ପଟେଲନଗର, ବଲଜିତ ନଗର, ପ୍ରେମନଗର ଓ ଇନ୍ଦୁପୁରୀ ରହିଛି। ଏଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଜଳର ଦୂରୁପଯୋଗ ନକରିବାକୁ ନିବେଦନ କରାଯାଇଛି। କୁହାଯାଇଛି ପରିସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ନିୟମିତ ଜଳ ସଂରକ୍ଷଣ କରନ୍ତୁ।