ବୁଲା ପଶୁଙ୍କ ଆଗରେ ଅଟକିଗଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାଫିଲା, ଓହ୍ଲାଇବାକୁ ପଡିଲା ଗାଡିରୁ

Published By : Prameya-News7 Bureau | March 26, 2025 IST

ନୂଆଦିଲ୍ଲୀ ୨୬/୦୩: ଜାତୀୟ ରାଜପଥରେ ହଠାତ୍ ଅଟକିଗଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାରକେଡ୍ । ଦିଲ୍ଲୀ ହାଇଦରପୁର ଫ୍ଲାଏଓଭରରେ ଗାଡି ଅଟକିବାରୁ ହଠାତ୍ ଓହ୍ଲାଇ ପଡିଥିଲେ ସିଏମ୍ । ତେବେ କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍ । ରାସ୍ତାରେ ବୁଲୁଥିବା ଗାଇମାନେ ପଶି ଆସିବାରୁ ହଠାତ୍ ଅଟକିଥିଲା ତାଙ୍କ କନଭୟ । ଏହି ସମୟରେ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗାଡ଼ିରୁ ଓହ୍ଲାଇ ଅଧିକାରୀଙ୍କୁ ରାସ୍ତାକୁ ପଶୁମାନଙ୍କୁ ଆସିବାରୁ ରୋକିବା ପାଇଁ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଅର୍ଥାତ୍ ବୁଧବାର ମେଟ୍ରୋ ପିଲାର ଯାଞ୍ଚ କରିବାକୁ ଯାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ପ୍ରାୟ ୧୫ ମିନିଟ୍ ପାଇଁ ଫ୍ଲାଏଓଭରରେ ଅଟକି ରହିଥିଲା । ଡ୍ରାଇଭର ସମୟ ମଧ୍ୟରେ ବ୍ରେକ୍ ଲଗାଇ ଦେଇଥିଲେ । ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। କାରଣ ତାଙ୍କ କାରକେଡ୍ ଆଗକୁ ଚାଲି ଆସିଥିଲେ ଏକାଧିକ ଗୋରୁ । 


ଏହି ସମୟରେ, ସେ ମେଟ୍ରୋ ପିଲରରେ ଲାଗିଥିବା ପୋଷ୍ଟର ଏବଂ ହୋର୍ଡିଂଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ପିଲରରେ ଲାଗିଥିବା ପୋଷ୍ଟର ଏବଂ ହୋର୍ଡିଂ ଉପରେ ଆପତ୍ତି ପ୍ରକାଶ କରି ସେ କହିଛନ୍ତି ଯେ ଆମକୁ ଦିଲ୍ଲୀକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ପଡିବ।

ସେ କହିଛନ୍ତି, ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାର ଅଧିକାର କାହାର ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କୌଣସି ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, କାହା ପାଖରେ ଏହା ନାହିଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦିଲ୍ଲୀକୁ ଅପରିଷ୍କାର କରନ୍ତୁନି । 

କହିବାକୁ ଗଲେ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହେବା ପରଠାରୁ ବେଶ୍ ଆକ୍ଟିଭ୍ । ସେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ । ଆମ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ କରିଥିଲେ । ମୁଖ୍ୟମନ୍ତ୍ରୀ ରେଖା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ।

ଏଥିରେ, ଯମୁନା ସଫେଇ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ଜଳ ଏବଂ ସଂଯୋଗୀକରଣ ସମେତ ୧୦ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଜାତୀୟ ରାଜଧାନୀକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ଗୁପ୍ତା ତାଙ୍କର ୧୩୮ ମିନିଟ୍ ଲମ୍ବା ବଜେଟ୍ ଭାଷଣରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ ବଜେଟ୍‌କୁ ଐତିହାସିକ ବୋଲି ଅଭିହିତ କରିଥିଲେ । ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ବଜେଟ୍ ଉପସ୍ଥାପନ କରିଛି । ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ)କୁ ପରାସ୍ତ କରି ଦଳ କ୍ଷମତାକୁ ଫେରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.