ନୂଆଦିଲ୍ଲୀ ୦୪।୦୭; ଆମେରିକାର ଚିକାଗୋରେ ଗୁଳିକାଣ୍ଡ । ବୁଧବାର ରାତିରେ ଏକ ରେଷ୍ଟୁରାଣ୍ଟ ବାହାରେ ଆଖିବୁଜା ଗୁଳିମାଡ ହୋଇଥିଲା। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ୧୪ ଜଣ ଆହତ ହୋଇଥିଲେ। ଚିକାଗୋ ପୋଲିସ ଅନୁଯାୟୀ, ଅତି କମରେ ତିନି ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଘଟଣାଟି ଚିକାଗୋର ରିଭର ନର୍ଥ ଅଞ୍ଚଳର। ଏହି ଘଟଣା ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଥିଲା।
ସୂଚନା ଅନୁଯାୟୀ, ଚିକାଗୋରେ ଜଣେ ରାପରଙ୍କ ଆଲବମ୍ ରିଲିଜ୍ ପାର୍ଟି ପରେ, ଆର୍ଟିଷ୍ଟ କ୍ଲବରୁ ବାହାରୁଥିବା ବେଳେ ଭିଡ଼ ହୋଇଥିଲା ସେହି ସମୟରେ କେହି ଜଣେ ଆଖିବୁଜା ଗୁଳି ଚଳାଇଥିଲା। ଏହି ଘଟଣାରେ, ୪ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଇଟ୍ କ୍ଲବ୍ ବାହାରେ ଗୁଳିକାଣ୍ଡ ହେବା ପରେ କ୍ଲବ୍ ବାହାରେ ଜମା ହୋଇଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଲେ।
ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି ଯେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ଭିଡ଼ ଉପରେ ଗୁଳି ଚଳାଇ ତୁରନ୍ତ ଏକ ଗାଡ଼ିରେ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ବର୍ତ୍ତମାନ କାହାକୁ ଅଟକ ରଖାଯାଇ ନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୋଲିସ କହିଛି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।