ମୁମ୍ଵାଇ ୧୭।୦୬; ବାପା ହେଲେ କ୍ରିକେଟର ନୀତିଶ ରାଣା । ତାଙ୍କ ପତ୍ନୀ ସଚ୍ଚି ମାରୱାହ ଯାଆଁଳା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ନୀତିଶ ରାଣା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହ ସେମାନେ ଦୁଇ ଯାଆଁଳା ଛୁଆଙ୍କ ହାତ ଫଟୋ ସେୟାର କରିଛନ୍ତି।
ନୀତିଶ ଏବଂ ସଚ୍ଚି ୨୦୧୯ ଫେବୃଆରୀରେ ବିବାହ କରିଥିଲେ । ସଚ୍ଚି ଜଣେ ଇଣ୍ଟେରିଅର ଡିଜାଇନର୍ ଓ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସମ୍ପର୍କୀୟ । ଏନେଇ ଖବର ଭାଇରାଲ ହେବା ପରେ ରିଷଭ ପନ୍ତଙ୍କ ଭଉଣୀ ସମେତ ଅନେକ ଖେଳାଳି ନୀତିଶ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭେଙ୍କଟେଶ ଆୟର, ପୀୟୁଷ ଚାୱଲା, ରାହୁଲ ତେୱାଟିଆ, ରମନଦୀପ ସିଂହଙ୍କ ସମେତ ଅନେକ କ୍ରିକେଟର ନୀତିଶଙ୍କୁ ପିତା ହେବା ପାଇଁ ଇନଷ୍ଟାରେ କମେଣ୍ଟ କରିଛନ୍ତି।
ନୀତିଶ ୨୦୧୬ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇ ପାଇଁ ୨ଟି ସିଜିନ୍ ଖେଳିବା ପରେ ସେ ୭ଟି ସିଜିନ କୋଲକତା ପାଇଁ ଖେଳିଥିଲେ । ୨୦୨୫ ମେଗା ଅକ୍ସନ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍ କରିଦେଇଥିଲା। ଏହାପରେ ରାଜସ୍ଥାନ ତାଙ୍କୁ ଦଳରେ ସାମିଲ କରିଥିଲା । ସେ ୨୦୨୫ ଆଇପିଏଲରେ ରାଜସ୍ଥାନ ପାଇଁ ୧୧ଟି ମ୍ୟାଚ ଖେଳି ୨୧୭ ରନ କରିଛନ୍ତି ।