ଅଯୋଧ୍ୟାରେ ଏବେ କୋଭିଡ ଟେଷ୍ଟ ବିନା ହୋଇ ପାରିବନି ରାମ ମନ୍ଦିର ଓ ହନୁମାନଗଡ଼ିରେ ଦର୍ଶନ

Published By : Prameya-News7 Bureau | June 09, 2025 IST

ଅଯୋଧ୍ୟା ୯।୬: ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ବଢୁଥିବାରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କୁ ବିନା ପରୀକ୍ଷଣରେ ରାମ ମନ୍ଦିରରେ ରାମ ଲଲ୍ଲା ଓ ହନୁମାନଗଡ଼ିରେ ହନୁମାନଜୀଙ୍କ ଦର୍ଶନ ଅନୁମତି ମିଳିବ ନାହିଁ। ଏଥି ଲାଗି ପ୍ରଶାସନ ଜୁନ ୯ ତାରିଖ ସୋମବାର ଠାରୁ ସହରର ବିଭିନ୍ନ ସ୍ଥାନରେ କୋଭିଡ ଯାଞ୍ଚ ପାଇଁ ବ୍ୟବସ୍ଥା କରିଛି। ଅଯୋଧ୍ୟା ସିଏମଓ ଡା.ସୁନିଲ କୁମାର ବନିୟାଲ କହିଛନ୍ତି ଯେ ଏଥିପାଇଁ ସହରରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି। 

ଏଥିରେ ରାମମନ୍ଦିର ସାମ୍ନାରେ, ହନୁମାନ ଗଡ଼ି ସାମ୍ନାରେ, ଏୟାରପୋର୍ଟରେ, ଅଯୋଧ୍ୟା ଧାମ ରେଳ ଷ୍ଟେସନ, କ୍ୟାଣ୍ଟ ରେଳ ଷ୍ଟେସନ ସାମ୍ନାରେ ଓ ବସ୍ ଷ୍ଟାଣ୍ଡରେ ଲୋକଙ୍କ କୋଭିଡ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଡା. ବେନିୟାଲ କହିଛନ୍ତି ଯେ ଅଯୋଧ୍ୟା ଆସୁଥିବା ସମସ୍ତ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ। ଏହି ସବୁ ସ୍ଥାନମାନଙ୍କରେ ଦୁଇଟି ସିଫ୍ଟରେ କରୋନା ପରୀକ୍ଷଣ ହେଉଥିବା ବେଳେ ଯାତ୍ରୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। 

ଡା. ବେନିୟାଲ କହିଛନ୍ତି ଯେ ଅଯୋଧ୍ୟାରେ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ହେଲେ ସାରା ଦେଶରେ କରୋନା ମାମଲା ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଜନପଦରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛି। ବାହାରୁ ଆସୁଥିବା ସବୁ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର ମଧ୍ୟ ବାଧ୍ୟତାମୂଳକ କରାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.