ନୂଆଦିଲ୍ଲୀ ୧।୬: କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଙ୍କ ଅନୁସାରେ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁ ୨୮ଜଣଙ୍କ ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଗତ ଦୁଇ ଦିନରେ ହୋଇଛି। ଶନିବାର ବେଙ୍ଗାଲୁରୁରେ ଜଣେ ୬୩ ବର୍ଷ ବୟଷ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଟି ଟିକା ସହିତ ବୁଷ୍ଟର ଡୋଜ ମଧ୍ୟ କରାଇଥିଲେ। ସେହିପରି ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ୭ଟି ଲେଖାଏଁ ମୃତ୍ୟୁ ହୋଇଛି। ଏଥିରେ କେରଳର ଜନୈକା ୨୪ ବର୍ଷ ବୟଷ୍କା ଯୁବତୀଙ୍କ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି।
କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସବୁଠୁ ଅଧିକ ୧୪୦୦ ପାର ହୋଇଯାଇଛି। ସେହିପରି ମହାରାଷ୍ଟ୍ରରେ ୪୮୫ ଓ ଦିଲ୍ଲୀରେ ୪୩୬ଟି ସକ୍ରିୟ ମାମଲା ରହିଛି। ଗତ ୪୮ ଘଣ୍ଟାରେ ୧ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ ଗୁଜରାଟରେ ୩୨୦ଟି ଆକ୍ଟିଭ କେସ୍ ଥିବା ବେଳେ ପଶ୍ଚିମବଙ୍ଗରେ ୨୮୭ ଓ କର୍ଣ୍ଣାଟକରେ ୨୩୮ଟି ଆକ୍ଟିଭ ମାମଲା ରହିଛି। ସେହିପରି ଉତ୍ତରପ୍ରଦେଶରେ ୧୪୯ଟି କରୋନା କେସ ଥିବା ବେଳେ ତାମିଲନାଡୁରେ ୧୯୯ଟି କେସ୍ ରହିଛି।
ଏହା ପୂର୍ବରୁ ଶନିବାର ଦେଶରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାର କରିଥିଲା। ଗତ ୨୪ ଘଣ୍ଟାରେ ୪ଟି ମୃତ୍ୟୁ ମଧ୍ୟ ହୋଇଥିଲା। ଏହା ପୂର୍ବରୁ ମେ ୨୨ରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ଥିଲା। ୨୬ ମେ ବେଳକୁ ଏହା ବଢି ୧,୦୧୦ ହୋଇ ଯାଇଥିଲା। ଶନିବାର ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେପଟେ କରୋନା ସଂକ୍ରମଣକୁ ନଜରରେ ରଖି କର୍ଣ୍ଣାଟକ ସରକାର ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଲୋକଙ୍କୁ ଭିଡ ଜାଗାକୁ ନ ଯିବାକୁ, ମାସ୍କ ଲଗାଇବାକୁ , ଦୂରତା ଅବଲମ୍ବନ କରିବାକୁ ଓ ପରିସ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।
ଛାତିରେ ଯନ୍ତ୍ରଣା ହେଲେ, ନିଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ହେଲେ, ଜ୍ୱର ଅଥବା କାସ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବାକୁ କୁହାଯାଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରୁ ନିଆଯାଇଥିବା ନମୁନାର ଜିନୋମ ସିକ୍ୱେନସିଂ କରାଯାଇଛି। ଏଥିରୁ ସଂକ୍ରମିତ ହେଉଥିବା ଭାରିଏଣ୍ଟ ଏତେ ଗୁରୁତର ନୁହେଁ ଏବଂ ଓମିକ୍ରନର ସବ ଭାରିଆଣ୍ଟ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଓମିକ୍ରନର ୪ଟି ଉପ ପ୍ରକାର ଅଛନ୍ତି। ଏଥିରେ ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଓ ଏନ.ବି.୧.୮.୧ ଅଛନ୍ତି। ଏଥିରୁ ପ୍ରଥମ ୩ଟି ସବ ଭାରିଏଣ୍ଟ ଅଧିକାଂଶ ମାମଲାରେ ସଂକ୍ରମିତ କରୁଥିବା ଜଣାପଡିଛି। ଏଣୁ ଏଥିରେ ଆତଙ୍କିତ ହେବା କି ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। ତେବେ ସତର୍କ ରହିବାକୁ ହେବ ବୋଲି ଆଇସିଏମଆର ମହାନିର୍ଦ୍ଦେଶକ କହିଛନ୍ତି।