ନୂଆଦିଲ୍ଲୀ: ପଟୌଦୀ ଖାନଦାନର କୂଳଦୀପ ବଲିଉଡ୍ ଷ୍ଟାର୍ ସୈଫ ଅଲ୍ଲୀ ଖାନଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଝଟକା। ସୈଫଙ୍କର ୧୫,୦୦୦ କୋଟି ଟଙ୍କାର ପୈତୃକ ସମ୍ପତ୍ତିକୁ ରାଜ୍ୟ ସରକାର 'ଶତ୍ରୁ ସମ୍ପତ୍ତି' ଭାବରେ ଚିହ୍ନିତ କରିବାକୁ ବିରୋଧ କରି ସୈଫ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସରକାରୀ କଟକଣାରୁ ପୈତୃକ ସମ୍ପତ୍ତିକୁ ସୁରକ୍ଷା ଦେବାକୁ ସୈଫ କୋର୍ଟରେ ଦୀର୍ଘଦିନ ହେଲା ଲଢ଼େଇ କରି ଆସୁଛନ୍ତି।
ଏହା ପୂର୍ବରୁ ୨୦୦୦ ମସିହାରେ ଏକ ନିମ୍ନ ଅଦାଲତ ସୈଫ ଅଲ୍ଲୀ ଖାନ, ତାଙ୍କ ଭଉଣୀ ସୋହା, ସାବା ଏବଂ ମାଆ ଶର୍ମିଲା ଟାଗୋରଙ୍କୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ବୋଲି ଦର୍ଶାଇ ରାୟ ଶୁଣାଇଥିଲେ। ହେଲେ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଖାରଜ କରି ଦେଇଛନ୍ତି। ସମ୍ପତ୍ତି ସମ୍ପର୍କିତ ମାମଲାରେ କୋର୍ଟ ପୁଣିଥରେ ନୂଆକରି ଶୁଣାଣି କରିବେ। ଏବଂ ବର୍ଷକ ଭିତରେ ଏହି ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି, ଶତ୍ରୁ ସମ୍ପତ୍ତି ଆଇନ ୧୯୬୮ ଅନୁସାରେ, କେନ୍ଦ୍ର ସରକାର ୧୯୪୭ ବିଭାଜନ ପରେ ପାକିସ୍ତାନ ଚାଲିଯାଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ଉପରେ ମାଲିକାନା ଦାବି କରିବାର ଅଧିକାର ଦେଇଥାଏ। ପଟୌଦି ପରିବାର ଭୋପାଳ ଏବଂ ରାଇସେନରେ ଥିବା ସେମାନଙ୍କର ଜମି ଉପରେ ଦାବି କରିଛନ୍ତି। ଯେଉଁଥିରେ କୋହେଫିଜାର ଫ୍ଲାଗ୍ ହାଉସ୍, ଅହମ୍ମଦାବାଦ ପ୍ୟାଲେସ୍, ଚିକଲୋଡ୍, ରାଇସେନରେ ଅବସ୍ଥିତ କୋଠି ଏବଂ ଜଙ୍ଗଲ ଅନ୍ତର୍ଭୁକ୍ତ ରହିଛି ଥିଲା। ନୁର-ଏ-ସବା, ଫ୍ଲାଗ୍ ହାଉସ୍, ଦାରୁ-ଉସ୍-ସଲାମ୍, ଫୋର୍ କ୍ୱାର୍ଟର୍ସ, ନ୍ୟୁ କ୍ୱାର୍ଟର୍ସ, ଫାର୍ସ ଖାନ, କୋହେଫିଜା ଏବଂ ଅହମ୍ମଦାବାଦ ପ୍ୟାଲେସ୍ ସମେତ ସମ୍ପତ୍ତି ସେମାନଙ୍କର ବୋଲି ପଟୌଦୀ ପରିବା ଦାବି କରିଛି।
ଏବେ ପୂରା ମାମଲା ବୁଝନ୍ତୁ
୧୯୪୭ ମସିହାରେ, ଭୋପାଳ ଏକ ଗଡ଼ଜାତ ରାଜ୍ୟ ଥିଲା ଏବଂ ଏହାର ଶେଷ ନବାବ ଥିଲେ ନବାବ ହମିଦୁଲ୍ଲା ଖାନ। ଯିଏ ସୈଫ ଅଲ୍ଲୀ ଖାନ୍ଙ୍କ ବାପା ମନସୁର ଅଲି ଖାନଙ୍କ ପଟୌଦିଙ୍କ ଅଜା ଥିଲେ। ନବାବ ହମିଦୁଲ୍ଲା ଖାନଙ୍କର ତିନୋଟି ଝିଅ ଥିଲେ, ଯେଉଁଥିରୁ ବଡ଼ ଝିଅ ଆବିଦା ସୁଲତାନାଙ୍କୁ ନବାବ ଉତ୍ତରାଧିକାରୀ କରିଥିଲେ। ହେଲେ ସୁଲତାନା ୧୯୫୦ ମସିହାରେ ପାକିସ୍ତାନ ଚାଲି ଯାଇଥିଲେ। ନୱାବଙ୍କ ଦ୍ୱିତୀୟ ଝିଅ ସାଜିଦା ସୁଲତାନା କିନ୍ତୁ ଭାରତରେ ରହିବା ସହ ସୈଫ ଅଲ୍ଲୀ ଖାନଙ୍କ ଜେଜେବାପା ନବାବ ଇଫତିଖାର ଅଲ୍ଲୀ ଖାନ ପଟୌଦୀଙ୍କୁ ବିବାହ କରିଥିଲେ। ଏବଂ ବାପା ନବାବ ହମିଦୁଲ୍ଲା ଖାନଭଙ୍କ ଉତ୍ତରାଧିକାରୀ ହୋଇଥିଲେ।
ଏହାପରେ ଭୋପାଳ ରାଜ୍ୟର ବଂଶଧର - ବେଗମ ସୁରୈୟା ରସିଦ, ବେଗମ ମେହର ତାଜ, ସାଜିଦା ସୁଲତାନା, ନବାବଜାଦି କମର ତାଜ ରାବିଆ ସୁଲତାନ, ନବାବ ମେହର ତାଜ ସାଜିଦା ସୁଲତାନ ଏବଂ ଅନ୍ୟମାନେ ୨୦୦୦ ମସିହାରେ ଭୋପାଳ ଜିଲ୍ଲା କୋର୍ଟ ଦେଇଥିବା ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଦୁଇଟି ଆବେଦନ ଦାଖଲ କରିଥିଲେ।
ଆବେଦନରେ କୁହାଯାଇଥିଲା ଯେ ନବାବ ହମିଦୁଲ୍ଲା ଖାନଙ୍କ ମୃତ୍ୟୁ ୪ ଫେବୃଆରୀ ୧୯୬୦ରେ ହୋଇଥିଲା ଏବଂ ଭୋପାଳ ରାଜ୍ୟ ୩୦ ଏପ୍ରିଲ ୧୯୪୯ରେ ଭାରତୀୟ ସଂଘରେ ମିଶିଥିଲା। ଲିଖିତ ଚୁକ୍ତିନାମା ଅନୁଯାୟୀ, ମିଶ୍ରଣ ପରେ ନବାବଙ୍କ ସ୍ୱତନ୍ତ୍ର ଅଧିକାର ଜାରି ରହିବ ଏବଂ ବ୍ୟକ୍ତିଗତ ସମ୍ପତ୍ତିର ପୂର୍ଣ୍ଣ ମାଲିକାନାର ଉତ୍ତରାଧିକାର ଭୋପାଳ ସିଂହାସନ ଉତ୍ତରାଧିକାର ଆଇନ, ୧୯୪୭ ଅଧୀନରେ ରହିବ।
ହମିଦୁଲ୍ଲା ଖାନଙ୍କ ମୃତ୍ୟୁ ପରେ, ସାଜିଦା ସୁଲତାନଙ୍କୁ ନବାବ ଘୋଷଣା କରାଯାଇଥିଲା। ସରକାର ଜାନୁଆରୀ ୧୦, ୧୯୬୨ରେ ଏକ ଚିଠି ଜାରି କରିଥିଲେ, ଯେଉଁଥିରେ ସମ୍ବିଧାନର ଧାରା ୩୬୬ (୨୨) ଅନୁଯାୟୀ ପୈତୃକ ସମ୍ପତ୍ତି ଉଲ୍ଲେଖ କରାଯାଇଥିଲା।
ନବାବ ହମିଦୁଲ୍ଲା ଖାନଙ୍କ ମୃତ୍ୟୁ ପରେ, ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୁସଲିମ ପର୍ସନାଲ ଲ ଅନୁଯାୟୀ ବାଦୀ ଏବଂ ପ୍ରତିବାଦୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବା ଉଚିତ ଥିଲା। ଏନେଇ ଭୋପାଳ ଜିଲ୍ଲା କୋର୍ଟରେ ସମ୍ପତ୍ତି ଉତ୍ତରାଧିକାର ଦାବି କରି ଏକ ଆବେଦନ ଦାଖଲ କରାଯାଇଥିଲା। କିନ୍ତୁ, ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ପାସ କରାଯାଇଥିବା ନିଷ୍ପତ୍ତି ଆଧାରରେ ଜିଲ୍ଲା କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ଏବେ ମାମଲାର ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
ଆବେଦନରେ ମନସୁର ଅଲ୍ଲୀ ଖାନ ପଟୌଦି, ତାଙ୍କ ପତ୍ନୀ ଶର୍ମିଲା ଟାଗୋର, ତାଙ୍କ ପୁଅ ସୈଫ ଅଲ୍ଲୀ ଖାନ ଏବଂ ଝିଅ ସାବା ଏବଂ ସୋହାଙ୍କୁ ପ୍ରତିପକ୍ଷ କରାଯାଇଥିଲା। ୨୦୧୫ ମସିହାରେ, ମୁମ୍ବାଇ ସ୍ଥିତ ଶତ୍ରୁ ସମ୍ପତ୍ତି କଷ୍ଟୋଡିଆନ୍ କାର୍ଯ୍ୟାଳୟ ଭୋପାଳର ନବାବଙ୍କ ଜମିକୁ ସରକାରୀ ସମ୍ପତ୍ତି ଭାବରେ ଘୋଷଣା କରିଥିଲା, ଯାହା ପରେ ପଟୌଦି ପରିବାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
୨୦୧୯ ମସିହାରେ, କୋର୍ଟ ସାଜିଦା ସୁଲତାନଙ୍କୁ ଆଇନଗତ ଉତ୍ତରାଧିକାରୀ ଭାବରେ ମାନ୍ୟତା ଦେଇଥିଲେ ଏବଂ ତାଙ୍କ ନାତି ସୈଫ ଅଲ୍ଲୀ ଖାନଙ୍କୁ ସମ୍ପତ୍ତିର ଏକ ଅଂଶ ଉତ୍ତରାଧିକାରୀ ଭାବରେ ମିଳିଥିଲା। ତଥାପି, ଆବିଦା ସୁଲତାନଙ୍କ ପାକିସ୍ତାନ ପ୍ରବାସ ଫଳରେ କେନ୍ଦ୍ର ସରକାର ସମ୍ପତ୍ତିଗୁଡ଼ିକୁ 'ଶତ୍ରୃ ସମ୍ପତ୍ତି' ଭାବରେ ଦାବି କରିଥିଲେ।