ସମ୍ପତ୍ତି ହଡପ କରିବା ପାଇଁ ଷଡଯନ୍ତ୍ର, ୮ ବର୍ଷ ବୟସରେ ୩ ସନ୍ତାନର ହେଲେ ଜନନୀ

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୦୭; ଉତ୍ତର ପ୍ରଦେଶର ଓରାଇୟା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସରକାରୀ କାଗଜପତ୍ରରେ ଜମି ହଡ଼ପ କରିବା ପାଇଁ ଏପରି ହେରଫେର କରାଯାଇଥିଲା ଯେ ଜଣେ ମହିଳା ୮ ବର୍ଷ ବୟସରେ ତିନି ପୁଅର ମାଆ ହୋଇଗଲେ।ଏନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ଏପରି ଯେ ରାମନଗର ଗାଁର ବାସିନ୍ଦା ନିରାଶ୍ରୟ ମହିଳା କମଲେଶଙ୍କ ସ୍ଵାମୀଙ୍କର ୨୦୨୧ରେ ମୃତ୍ୟୁ ହୋଇଯାଇଥିଲା । ଏକମାତ୍ର ଝିଅର ବି ତାପରେ ମୃତ୍ୟୁ ହୋଇଥିଲା । ଏହାପରେ ଶ୍ଵଶୁର ଘର ଲୋକେ ତାଙ୍କୁ ମାରପିଟ୍‌ କରି ଘରୁ ବାହାର କରିଦେଇଥିଲେ ।

ଅନ୍ୟ ଉପାୟ ନଥିବାରୁ ସେବେଠାରୁ ସେ ନିଜ ବାପଘରେ ରହି ଆସୁଛନ୍ତି। କମଲେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସମ୍ପତ୍ତି୮୍କୁ ହଡପ କରିବାକୁ ଶ୍ଵଶୁର ଘର ଲୋକେ ତାଙ୍କ ସ୍ଵାମୀଙ୍କର ଜଣେ ଦ୍ଵିତୀୟ ପତ୍ନୀ ଗୁଡ୍ଡି ଦେଵୀ ଥିବା ଦର୍ଶାଇଛନ୍ତି। ଗୁଡ୍ଡୀ ଦେବୀଙ୍କର ୩ ଜଣ ପୁତ୍ର ଶିବପୂଜନ, ସୋନୁ, ପପୁ ରହିଥିବା ବି ସେମାନେ ଦାବି କରୁଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତ ଅଧିକାରୀଙ୍କ ସହ ମିଶି ସେମାନେ ଏହି ତଥ୍ୟକୁ ପରିବାର ରେଜିଷ୍ଟରରେ ମଧ୍ୟ ଚଢାଇ ଦେଇଛନ୍ତି।

ରେଜିଷ୍ଟରରେ ଗୁଡ୍ଡୀ ଦେବୀଙ୍କ ଜନ୍ମତିଥି ୧୯୮୪ ମସିହା ଜାନୁୟାରୀ ୧ ତାରିଖରେ ହୋଇଥିବା ଦର୍ଶାଯାଇଛି। ତାଙ୍କର ୩ ପୁଅଙ୍କ ଜନ୍ମ ଯଥାକ୍ରମେ ୧୯୮୯. ୧୯୯୦ ଓ ୧୯୯୨ ମସିହାରେ ହୋଇଥିବା ଉଲ୍ଲେଖ ରହିଛି।  ଅର୍ଥାତ୍‌ କାଗଜପତ୍ରରେ ଗୁଡ୍ଡୀ ଦେବୀ ମାତ୍ର ୫ ବର୍ଷ ବୟସରେ ମା’ ହୋଇଯାଇଥିଲେ । ଏହି ଜାଲିଆତିକୁ ନେଇ କମଲେଶ ମୋଟ ୧୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.