ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚନରେ କଞ୍ଜରଭେଟିଭ ପ୍ରାର୍ଥୀ କରୋଲ ନାଓରୋକି ବିଜୟୀ

Published By : Prameya-News7 Bureau | June 02, 2025 IST

ୱାର୍ସୋ ୨।୬: ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚନରେ କଞ୍ଜରଭେଟିଭ ପ୍ରାର୍ଥୀ କରୋଲ ନାଓରକି ବିଜୟୀ ହୋଇଛନ୍ତି। ସୋମବାର ଘୋଷଣା ହୋଇଥିବା ଚୂଡ଼ାନ୍ତ ଫଳାଫଳ ଅନୁସାରେ ନାଓରୋକିଙ୍କୁ ୫୦.୮୯% ଭୋଟ ମିଳିଛି। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଲିବରାଲ ପାର୍ଟିର ୱାର୍ସୋ ମେୟର ରାଫାଲ ଟ୍ରାଜାସ୍କୋସ୍କିଙ୍କୁ ୪୯.୧୧% ଭୋଟ ମିଳିଛି। ଦୁଇ ସପ୍ତାହ ପୂର୍ବରୁ ହୋଇଥିବା ଭୋଟଦାନରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ଚାଲିଥିଲା। ତେବେ ମୁହାଁମୁହିଁ ମୁକାବିଲାରେ ଲିବରାଲ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। 

ନାଟୋ ଓ ୟୁରୋପୀୟ ସଂଘର ସୀମାରେ ଅବସ୍ଥିତ ପୋଲାଣ୍ଡ । ଏଣୁ ନିର୍ବାଚନର ଫଳାଫଳକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ରବିବାର ସନ୍ଧ୍ୟାରେ ହୋଇଥିବା ଏକ ଏଗଜିଟ ପୋଲ ରିପୋର୍ଟରେ ଲିବରାଲ ପ୍ରାର୍ଥୀ ବିଜୟୀ ହେଉଥିବାର ଆକଳନ କରାଯାଉଥିଲା। ତେବେ ସୋମବାର ଗଣତି ଯେତିକ ଆଗକୁ ବଢୁଥିଲା ଲିବରାଲ ପ୍ରାର୍ଥୀ ଭୋଟରେ ପଛେଇବା ଆରମ୍ଭ କରିଥିଲେ। ଏଣୁ ଫଳାଫଳର ଚିତ୍ର ବଦଳି ଯାଇଥିବା ବେଳେ କଞ୍ଜରଭେଟିବ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। 

ପୋଲାଣ୍ଡ ରାଜନୀତିରେ ଅଧିକାଂଶ କ୍ଷମତା ପ୍ରାଧାନମନ୍ତ୍ରୀଙ୍କ ଉପରେ ନ୍ୟସ୍ତ। ତେବେ ଦେଶରେ ରାଷ୍ଟ୍ରପତି ପଦବୀ କିନ୍ତୁ ପ୍ରତିକାତ୍ମକ ନୁହେଁ। ବିଦେଶ ନୀତି ଉପରେ ରାଷ୍ଟ୍ରପତିଙ୍କ ପ୍ରଭାବ ରହୁଥିବା ବେଳେ ବିଧେୟକଙ୍କ ଉପରେ ଭିଟୋ ପ୍ରୟୋଗର ଶକ୍ତି ମଧ୍ୟ ରହିଛି। ନାଓରୋକି ଏବେ କଞ୍ଜରଭେଟିଭ ରାଷ୍ଟ୍ରପତି ଆନ୍ଦ୍ରେଜ ଦୁଡାଙ୍କ ସ୍ଥାନ ଗ୍ରହଣ କରିବେ। ରାଷ୍ଟ୍ରପତି ରୂପେ ଦୁଡାଙ୍କ କାର୍ଯ୍ୟକାଳ ଅଗଷ୍ଟ ୬ ତାରିଖରେ ସମାପ୍ତ ହେବ। 

ପ୍ରଧାନମନ୍ତ୍ରୀ ଡୌନାଲ୍ଡ ଟୁସ୍କ ୨୦୨୩ ଶେଷାର୍ଦ୍ଧରେ ଦେଶର ଶାସନ ସମ୍ଭାଳିଥିଲେ। ତାଙ୍କ ସରକାର ମେଣ୍ଟରେ ବିଚାରଧାରାରେ ପାର୍ଥକ୍ୟ ରହିଛି। ଏଥି ପାଇଁ ଯେଉଁ ପ୍ରତିଶ୍ରୁତି ଦେଇ ଟୁସ୍କୋ ସରକାର ଗଢିଥିଲେ ଏପର୍ଯ୍ୟନ୍ତ ତାହା ପୂରଣ କରି ପାରୁ ନାହାନ୍ତି। ଦେଶରେ ଗର୍ଭପାତ ଆଇନକୁ ଉଦାର କରିବା ଟୁସ୍କଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ତେବେ ରାଷ୍ଟ୍ରପତି ଦୁଡା ବିଧେୟକ ଉପରେ ଭିଟୋ ଲଗାଇବା ଯୋଗୁ ତାହା ଆଗକୁ ବଢି ପାରୁ ନାହିଁ। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ସେହି ଆଇନ ମଧ୍ୟ ପଲଟେଇ ପାରୁ ନାହାନ୍ତି ଯାହାକୁ ୟୁରୋପୀୟ ସଂଘ ଅଗଣତାନ୍ତ୍ରିକ କହୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.