ଭୁବନେଶ୍ବର ୧୯।୩: ବୁଧବାର ବି କଂଗ୍ରେସ ବିଧାୟକ ମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗରେ ଆସି ପ୍ରତିବାଦ କରିଥିଲେ । ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ କଂଗ୍ରେସ ବିଧାୟକ ମାନେ ଦାବି କରିଛନ୍ତି ।
କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଆମ ରାଜ୍ୟରେ ନାରୀ ସୁରକ୍ଷା ଗୋଟିଏ ବଡ଼ ପ୍ରସଙ୍ଗ । ନାବାଳିକାଙ୍କ ଠାରୁ ଆରମ୍ଭ କରି ମହିଳା କେହି ସୁରକ୍ଷିତ ନାହାନ୍ତି । ଏହାକୁ ଆମେ ବିରୋଧ କରୁଛୁ । ଯେପର୍ଯ୍ୟନ୍ତ ମହିଳାମାନେ ସୁରକ୍ଷିତ ଅନୁଭବ କରିନାହାନ୍ତି, ସେପର୍ଯ୍ୟନ୍ତ ଆମ ଲଢ଼େଇ ଜାରି ରହିବ ।
ସେପଟେ, କଂଗ୍ରେସର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ଘଟଣାକୁ ନେଇ କଡା ଜବାବ ରଖିଛି ବିଜେପି । ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ମଙ୍ଗଳବାର କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇସାରିଛି । ମହିଳା ନିର୍ଯାତନା ପୂର୍ବ ସରକାର ସମୟ ଅପେକ୍ଷା ଏ ସରକାର ସମୟରେ କମିଛି ବୋଲି ଆଇନ ମନ୍ତ୍ରୀ ଗୃହରେ କହିସାରିଛନ୍ତି । ଯିଏ ଦୋଷୀ ସେମାନଙ୍କୁ ଧରାଯାଇ ଦଣ୍ଡିତ କରାଯାଉଛି । ସରକାର ଉତ୍ତର ରଖିବା ପରେ କଂଗ୍ରେସ ଗୃହରେ ନାରାବାଜି କରିବା ଗୃହ ଚଲାଇ ନଦେବା ପ୍ରଶ୍ନକାଳ ବନ୍ଦ କରିବା କେତେଦୂର ଠିକ୍ । ରାଜ୍ୟବାସୀ କ’ଣ ଚାହୁଁଛନ୍ତି ଗୃହ ବନ୍ଦ ହେଉ । ଲୋକଙ୍କ ଟିକସରେ ଗୃହ ଚାଲୁଛି ହେଲେ କଂଗ୍ରେସ ଯୋଗୁ ଲୋକଙ୍କ ସମସ୍ୟା ଆଲୋଚନା ହୋଇପାରୁନି । ରାଜ୍ୟ ସ୍ୱାର୍ଥ ପାଇଁ ନୁହେଁ କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ଗୃହ ବାରମ୍ବାର ବନ୍ଦ କରୁଛି ।
You Can Read:
୫୧ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତାଦେଖା, ୧୨ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ନିୟୋଜିତ