ଭୁବନେଶ୍ୱର ୨୩।୭: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ । ଏଭଳି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ଟି ପଦବୀ ଆଉଟସୋର୍ସିଂ ଭିତ୍ତିରେ ସୃଷ୍ଟି କରାଯାଇଛି ।
ରାଜ୍ୟରେ OISF ରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା । ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା । ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ ରେ ସମୁଦାୟ ପଦବୀ ସଂଖ୍ୟା ୪୯୨୭ ପଦବୀ ସୃଷ୍ଟି ହେଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି ଦୁଇଟି ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଛନ୍ତି ।
You Can Read:
ଫେଭର ମାଗି ଫେଲ୍ କରାଇଥିବା ଅଭିଯୋଗ, କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ