ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରୁ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି। ହର୍ଷିଲର ଧରାଳିରେ ବାଦଲ ଫଟା ବର୍ଷା ଯୋଗୁଁ ଆସିଲା ଜଳପ୍ରଳୟ। ଏହି ବିପର୍ଯ୍ୟୟରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୧୨ ଜଣ ଲୋକ ମାଟି ଚାପି ହୋଇ ରହିଥିବା ସୂଚନା ମିଳିଛି। ୬୦ ଜଣ ନିଖୋଜ ହେବାର ଆଶଙ୍କା କରାଯାଉଛି। ବାଦଲ ଫଟା ବର୍ଷା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କେବଳ ୨୦ ସେକେଣ୍ଡ ମଧ୍ୟରେ ସବୁକିଛି କିପରି ନଷ୍ଟ ହୋଇଗଲା ତାହା ଦେଖାଯାଉଛି। ଲୋକମାନେ ଚିତ୍କାର କରୁଥିବାର ଭିଡିଓରେ ଦେଖାଯାଇଛି।
କୁହାଯାଉଛି ଯେ ମେଘ ଫାଟିବା ଯୋଗୁଁ ଖିରଗଡର ଜଳସ୍ତର ବୃଦ୍ଧି ପାଇଥିଲା। ଖିରଗଡ ସହରରେ ପ୍ରବଳ ମାତ୍ରାରେ ଜଳସ୍ରୋତ ଦେଖାଦେଇଥିଲା। ଏହା ସହରର ଅନେକ ଘର କ୍ଷତିଗ୍ରସ୍ତ କରିଛି। ସୂଚନା ଅନୁଯାୟୀ, ବନ୍ୟା ପାଣି ଅନେକ ହୋଟେଲରେ ପ୍ରବେଶ କରିଛି। ଘର ଏବଂ ଦୋକାନ ମଧ୍ୟ ଏବେ ଜଳବନ୍ଦୀ। କୁହାଯାଉଛି ଯେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଧରାଳି ବଜାର ଏବେ ପାଣି ଘେରରେ।
ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଦଳଗୁଡ଼ିକ ବାହାରିଛି। ଭାଟୱାଡିରୁ SDRF ଟିମ୍ ମଧ୍ୟ ଧରାଳି ଅଭିମୁଖେ ଯାଇଛି। ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ ହର୍ଷିଲ୍ ନିକଟସ୍ଥ ଧରାଳିରେ ବାଦଲଫଟା ବର୍ଷା ହୋଇଛି। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳକୁ ଯାଇଛି।
ଉତ୍ତରାକାଶୀ ପୋଲିସ ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ସୂଚନା ସେୟାର କରିଛି। ଲେଖିଛନ୍ତି- ହର୍ଷିଲ୍ ଅଞ୍ଚଳର ଖିର ଗଡର ଜଳସ୍ତର ବୃଦ୍ଧି ଯୋଗୁଁ ପୋଲିସ, SDRF ଏବଂ ସେନା ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉପରୋକ୍ତ ଘଟଣାକୁ ଦୃଷ୍ଟିରେ ରଖି, ସମସ୍ତେ ନଦୀଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବା ଉଚିତ।