ହିମାଚଳ ପ୍ରଦେଶ କୁଲୁରେ ବାଦଲଫଟା ବର୍ଷା, ଭାସିଗଲେ ୩

Published By : Prameya-News7 Bureau | June 25, 2025 IST

କୁଲ୍ଲୁ ୨୫।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ଦେଶର ପ୍ରାୟ ଅଞ୍ଚଳକୁ ପହଞ୍ଚିସାରିଲାଣି। ପାହାଡିଆ ରାଜ୍ୟରେ ବର୍ଷା ଯୋଗୁ ଭୂ-ସ୍ଖଳନ ଘଟଣା ବଢିବାରେ ଲାଗିଛି। ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ ବୁଧବାର ବାଦଲଫଟା ବର୍ଷା ହୋଇଛି। ଫଳରେ ଅଚାନକ ଆସିଥିବା ବନ୍ୟାରେ ୩ ଜଣ ଭାସି ଯାଇଥିବା ବେଳେ କେତେକ ଘର, ଏକ ସ୍କୁଲ ଭବନ, ଯୋଗାଯୋଗ ସଡ଼କ ଓ ଛୋଟ ପୋଲ ପ୍ରଭାବିତ ହୋଇଛି। 

ସେପଟେ ଉତ୍ତରାଖଣ୍ଡ ହଲଦୱାନୀରେ ଏକ କାର କେନାଲକୁ ଖସିପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। କେରଳର ବାୟନାଡରେ ବର୍ଷା ଓ ଭୂ-ସ୍ଖଳନ ନେଇ ପାଣିପାଗ ବିଜ୍ଞାନ ବିଭାଗ ସତର୍କତା ଜାରି କରିଛନ୍ତି। ତେବେ ବୁଧବାର କୁଲ୍ଲୁର ୩ଟି ସ୍ଥାନରେ ବାଦଲ ଫାଟିଛି। ଏଥିରେ ସେଞ୍ଜର ଜିଭାନାଲା ଓ ରେହେଲା ବିହାଲରେ ଗୋଟିଏ ଘଟଣା ଘଟିଥିବା ବେଳେ ଗଡ଼ଶା କ୍ଷେତ୍ରର ଶିଲାଗଡ଼ରେ ବାଦଲ ଫାଟିଛି। ଅଧିକାରୀଙ୍କ ସୂଚନା ଅନୁସାରେ ରେହଲା ବିହାଲରେ ଘରୁ ଜିନିଷପତ୍ର କାଢୁଥିବା ବେଳେ ୩ ଜଣ ବାଦଲଫଟା ବର୍ଷା ଜନିତ ବନ୍ୟାରେ ଭାସି ଯାଇଛନ୍ତି। 


କୁଲ୍ଲୁ ଅତିରିକ୍ତ ଜିଲ୍ଲା ଆୟୁକ୍ତ ଅଶ୍ୱିନୀ କୁମାର କହିଛନ୍ତି ଯେ  ଜିଲ୍ଲାର ମନାଲୀ ଓ ବଞ୍ଜାରରେ ଅଚାନକ ବନ୍ୟା ଆସିଛି। ଉଦ୍ଧାର ଅଭିଯାନକାରୀ ଦଳ ଘଟଣାସ୍ଥଳରେ ମହଜୁଦ ଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେହିପରି ମଣିକରଣ ଘାଟିରେ ବ୍ରହ୍ମଗଙ୍ଗା ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏହି ପାଣି ଲୋକଙ୍କ ଘରେ ପଶିଛି। ଯଲଦି ନାଳରେ ବନ୍ୟା ଜଳ ହ୍ରାସ ନ ହୁଏ ତେବେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି। 


ବଞ୍ଜାର ବିଧାୟକ ସୁରିନ୍ଦର ଶୌରୀ କହିଛନ୍ତି ଯେ ସକାଳୁ ଭୀଷଣ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସେଞ୍ଜ, ତୀର୍ଥନ ଓ ଗଡସାରେ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ଏଣୁ ପ୍ରଶାସନକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଧାୟକ କହିଛନ୍ତି। ବ୍ୟାସ ଓ ସତଲୁଜ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏହା ଛଡା ଲାହୋଲ ଓ ସ୍ପିତି ପୋଲିସ ଅନୁସାରେ କାଜାରୁ ସମଦୋହ ପର୍ଯ୍ୟନ୍ତ ସଡ଼କ ଭୂ-ସ୍ଖଳନ, ମାଟି ଅତଡା ଧସିବା ଓ ବନ୍ୟା ଆସିବା ଦ୍ୱାରା ଅବରୋଧ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.