ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ମଙ୍ଗଳବାର ଲଗାତାର ତୃତୀୟ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୬୩୬ ଅଙ୍କ ଖସିଛି । ଅନ୍ୟପଟେ ନିଫ୍ଟି ଖସି ୨୪,୫୫୦ ସ୍ତର ତଳେ ବନ୍ଦ ହୋଇଛି । ଏହି କାରଣରୁ ନିବେଶକଙ୍କୁ ଆଜି ଗୋଟିଏ ଦିନରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଗ୍ଲୋବାଲ୍ ମାର୍କେଟରେ ଦୁର୍ବଳ ସଂକେତ ଓ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ଯୋଗୁ ନିବେଶକଙ୍କ ସେଣ୍ଟିମେଣ୍ଟ ଦୁର୍ବଳ ଅଛି । ଏହା ବ୍ୟତୀତ ନିବେଶକ ଜୁନ୍ ୪ରେ ଆରମ୍ଭ ହେବାକୁ ଥିବା ଆରବିଆଇ ବୈଠକ ପୂର୍ବରୁ ସକର୍ତ ହୋଇଛନ୍ତି । ବ୍ରଡର ମାର୍କେଟରେ ବି ଲାଲ୍ ରଙ୍ଗରେ ଭର୍ତ୍ତି ଥିଲା । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୫୨ ପ୍ରତିଶତ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୦.୦୭ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୬୩୬.୨୪ ଅଙ୍କ ବା ୦.୭୮ ପ୍ରତିଶତ ହ୍ରାସ ପାଇ ୮୦,୭୩୭.୫୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇ ନିଫ୍ଟି ୧୭୪.୧୦ ଅଙ୍କ ବା ୦.୭୦ ପ୍ରତିଶତ ହ୍ରାସ ପାଇ ୨୪,୫୪୨.୫୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୩ରେ ହ୍ରାସ ପାଇ ୪୪୩.୧୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ଜୁନ୍ ୨ରେ ଏହା ୪୪୫.୫୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ ଆଜି ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କା କମ ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୨.୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ସେୟାର ବଜାରରେ ଆଜିର ହ୍ରାସ ଏତେ ଅଧିକ ଥିଲା ଯେ ବିଏସ୍ଇ ସେନ୍ସେକ୍ସର ୩୦ରୁ ୨୯ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଆଦାନୀ ପୋର୍ଟ୍ସ ସେୟାର ୨.୪୨ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ ରହିଛି । ଅନ୍ୟପଟେ କେବଳ ମହିନ୍ଦ୍ରା ଓ ମହିନ୍ଦ୍ରା ୦.୬୯ ପ୍ରତିଶତ ବୃଦ୍ଧି ସହ ସେନ୍ସେକ୍ସରେ ସବୁଜ ସଂକେତରେ ବନ୍ଦ ହୋଇଛି ।