୪୧୮ ଅଙ୍କ ବଢିଲା ସେନ୍‌ସେକ୍ସ, ନିଫ୍ଟି ୨୪,୭୦୦ ଉପରେ ବନ୍ଦ; ନିବେଶକଙ୍କ ଲାଭ ୪.୩ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ସୋମବାର ଭଲ କାରବାର ଦେଖିବାକୁ ମିଳିଛି । କାରବାର ଶେଷରେ ବିଏସଇ ସେନ୍‌ସେକ୍ସ ୪୧୮.୮୧ ଅଙ୍କ ବା ୦.୫୨ ପ୍ରତିଶତ ବଢି ୮୧,୦୧୮.୭୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୫୭.୪୦ ଅଙ୍କ ବା ୦.୬୪ ପ୍ରତିଶତ ବଢି ୨୪,୭୨୨.୭୫ ସ୍ତରରେ ବନ୍ଦ ହୋଇଛି । ଏହା ସହ ଏହି ଦୁଇ ଇଣ୍ଡେକ୍ସରେ ଗତ ଦୁଇ ଦିନ ଧରି ଚାଲିଥିବା ହ୍ରାସରେ ବ୍ରେକ୍ ଲାଗିଛି । ବ୍ରଡର୍ ମାର୍କେଟ୍ ବି ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ ବନ୍ଦ ହୋଇଛି । ଏଫ୍ଏମ୍‌ସିଜିକୁ ଛାଡ଼ି ଅନ୍ୟ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଆଜି ସବୁ ସଂକେତରେ ବନ୍ଦ ହୋଇଛି । 

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୪୮.୮୨ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଅଗଷ୍ଟ ୧ରେ ୪୪୪.୫୨ ଲକ୍ଷ କୋଟି ଟଙ୍କା ଥିଲା । ଏହି ପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୩୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୪.୩୦ ଲକ୍ଷ ଟଙ୍କା ବଢିଛି । 

ବିଏସ୍‌ଇ ସେନ୍‌ସେକ୍ସର ୩୦ରୁ ୨୬ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଟାଟା ଷ୍ଟିଲ୍‌ର ସେୟାରରେ ୪.୩୧ ପ୍ରତିଶତ ସହ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଆଜିର କାରବାରରେ ପାୱାର ଗ୍ରୀଡର ସେୟାର ୧.୧୦ ପ୍ରତିଶତ ହ୍ରାସ ପାଇ ଟପ୍ ଲୁଜର ହୋଇଛି । ବିଏସ୍‌ଇରେ ଆଜି ମୋଟ ୪୩୦୭ ସେୟାର କାରବାର କରିଥିଲେ । ଏଥିରୁ ୨୨୮୬ ସେୟାର ସବୁଜ ଓ ୧୮୪୭ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.