ଯାଜପୁରରେ କଲେରା ଆକ୍ରାନ୍ତ, ୮ ଜଣଙ୍କ ନମୂନା ପଜିଟିଭ୍‌ ଚିହ୍ନଟ

Published By : Prameya-News7 Bureau | June 13, 2025 IST

ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଚିନ୍ତା ବଢାଇବାରେ ଲାଗିଛି । ଏହାରି ଭିତରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି । ୪୧ଟି ନମୂନା ପରୀକ୍ଷଣରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି ।

ଏହାରି ଭିତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଛି । ସମୀକ୍ଷା ବୈଠକରେ ଅଧିକାରୀମାନେ ଜଳବାହିତ ରୋଗର ବୃଦ୍ଧି ପାଉଥିବା ମାମଲାଗୁଡ଼ିକର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ । ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଥିଲେ, ଯାଜପୁରରେ ସଂଗୃହିତ ୪୧ଟି ମଳ ନମୂନା ମଧ୍ୟରୁ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ବ୍ୟାପକ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ଯୋଗୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି ।  

ଯାଜପୁର ଜିଲ୍ଲାରେ ଝାଡ଼ା ବାନ୍ତି ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ୧୧୨ ଜଣ ରୋଗୀ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ଗୁରୁତର ଥିବା ଜଣାପଡିଛି । ସେପଟେ କଟକକୁ ଆଜି ୫ ଜଣ ସ୍ଥାନାନ୍ତରିତ ହୋଇଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସେପଟରେ ଫୁଡ୍ ଅଫିସର ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି । ଆଉ ତିନି ଚାରି ଦିନ ଭିତରେ ସବୁ ଠିକ୍ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.