ଦ୍ୱିପାକ୍ଷିକ ସମ୍ପର୍କ ଖରାପ କରିବାକୁ ଚାହୁଁ ନ ଥିଲେ ଭାରତ ଦଲାଇ ଲାମା ଚୟନ ପ୍ରସଙ୍ଗରେ ସତର୍କ ରହୁ: ଚୀନ

Published By : Prameya-News7 Bureau | July 04, 2025 IST

indiatoday

ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ନେଇ ଭାରତର ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛି ଚୀନ। ଭାରତକୁ ତିବ୍ଦତ-ସମ୍ବନ୍ଧୀୟ ପ୍ରସଙ୍ଗରେ ସତର୍କତାର ସହ କାର୍ଯ୍ୟ କରିବା ଉଚିତ। ଯେମିତି ଏଥିପାଇଁ ଭାରତ-ଚୀନର ଦ୍ୱିପାକ୍ଷିକ ସମ୍ପର୍କ ଖରାପ ନହୁଏ ସେ ନେଇ ଭାରତ ଧ୍ୟାନ ଦେବା ଉଚିତ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି।

ରିଜିଜୁ ଗୁରୁବାର ଦୃଢ଼ ଭାବରେ କହିଥିଲେ ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ନେତା ନିଜେ ନେବେ, ଅନ୍ୟ କେହି ନୁହେଁ। ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଯୋଜନାକୁ ଚୀନ୍ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରଥମ କରି ରିଜିଜୁ ଏଭଳି ମନ୍ତବ୍ୟ ଦେଇଥିଲେ। ଏବଂ ଏହା ଜୋର ଦେଇ କହିଥିଲେ ଯେ ଭବିଷ୍ୟତର ଯେକୌଣସି ଉତ୍ତରାଧିକାରୀଙ୍କୁ ଏହାର ଅନୁଷ୍ଠାନର ଅନୁମୋଦନ ମିଳିବା ଆବଶ୍ୟକ ହେବ।

ଯାହାକୁ ନେଇ ଚୀନ୍‌ରେ ଚର୍ଚ୍ଚା ହେବା ପରେ ଚୀନ ସରକାର ଆଜି ଏନେଇ ଭାରତ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଏନେଇ ଚୀନ ମିଡିଆ ପ୍ରଶ୍ନ କରିବାରୁ ଶୁକ୍ରବାର ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ଭାରତ ୧୪ତମ ଦଲାଇ ଲାମାଙ୍କ ଚୀନ୍ ବିରୋଧୀ ବିଚ୍ଛିନ୍ନତାବାଦୀ ସ୍ୱଭାବକୁ ଜାଣି ରଖିବା ଉଚିତ। ଏବଂ ଜିଜାଙ୍ଗ (ତିବ୍ଦତ) ସମ୍ବନ୍ଧୀୟ ପ୍ରସଙ୍ଗରେ ଭାରତ ନିଜର ପୂର୍ବ ପ୍ରତିବଦ୍ଧତାକୁ ପାଳନ କରିବା ଦରକାର ନିଙ୍ଗ କହିଛନ୍ତି। ସୂଚନା ଥାଉକି ଚୀନ୍ ତିବ୍ଦତକୁ ନିଜର ପ୍ରଦେଶ  ଦେବି କରି ଜିଜାଙ୍ଗ ନାଁ ଦେଇଛି। 

ଏହାପରେ ନିଙ୍ଗ ଆହୁରି କହିଛନ୍ତି ଯେ ଭାରତ ତା’ର କଥା ଏବଂ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବା ଉଚିତ। ଜିଜାଙ୍ଗ ପ୍ରସଙ୍ଗ ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ଭାରତ ହସ୍ତକ୍ଷେପ ବନ୍ଦ କରି ଚୀନ୍‌-ଭାରତ ସମ୍ପର୍କରେ ଆସିଥିବା ସୁଧାରକୁ ପୁଣିଥରେ ପ୍ରଭାବିତ କରିବାକୁର ଦୂରେଇ ରହିବା ଉଚିତ୍ ବୋଲି ନିଙ୍ଗ କହିଛନ୍ତି। 

ବୁଧବାର, ତିବ୍ଦତୀୟ ଧର୍ମଗୁରୁ କହିଥିଲେ ଯେ ଦଲାଇ ଲାମାଙ୍କ ପ୍ରତିଷ୍ଠାନ ଜାରି ରହିବ, ଏବଂ ସେ ୨୦୧୫ରେ ପ୍ରତିଷ୍ଠା କରିଥିବା ଗାଡେନ୍ ଫୋଡ୍ରାଙ୍ଗ୍ ଟ୍ରଷ୍ଟ ପାଖରେ ହିଁ ଉତ୍ତରାଧିକାରୀ ଚୟନ କରିବାର ଅଧିକାର ରହିବ ବୋଲି ଦଲାଇ ଲାମା କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.