ବଡ଼ ଆକ୍ରମଣ ପ୍ରସ୍ତୁତିରେ ଚୀନ୍! ଭାରତକୁ ବି ସାବଧାନ କଲା ଆମେରିକା

Published By : Prameya-News7 Bureau | May 31, 2025 IST

ସିଙ୍ଗାପୁର ୩୧।୫: ଆମେରିକାର ପେଣ୍ଟାଗନ ମୁଖ୍ୟ ଚୀନ୍‌ କୁ ନେଇ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଚୀନ୍ ଏସିୟାରେ ନିଜର ପ୍ରଭୁତ୍ୱ ଜାହିର କରିବା ପାଇଁ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ସିଙ୍ଗାପୁରରେ ଅନୁଷ୍ଠିତ ବାର୍ଷିକ ସିକ୍ୟୁରିଟି ଫୋରମରେ ପେଣ୍ଟାଗନ ମୁଖ୍ୟ ପିଟ୍ ହେଗସେଥ୍ କହିଛନ୍ତି ଯେ ଚୀନ୍‌ ଆଡୁ ବିପଦ ଏକ ବାସ୍ତବିକ ବିପଦ। ହେଗସେଥ୍ କହିଛନ୍ତି ଚୀନ୍‌ ସାରା ବିଶ୍ୱକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ଏଥି ପାଇଁ ସବୁଦିନ ଯୁଦ୍ଧ ପ୍ରସ୍ତୁତି ଚଳାଇଛି। 

ହେଗସେଥ୍ କହିଛନ୍ତି ଯେ ଚୀନ୍‌ର ପ୍ରଥମ ଟାର୍ଗେଟ୍ ତାଇୱାନ ହୋଇପାରେ। ଏଣୁ ସେ ଭାରତ ସମେତ ଏସିୟ ଦେଶମାନଙ୍କୁ  ଚୀନର ମୁକାବିଲା ନିମନ୍ତେ ନିଜ ପ୍ରତିରକ୍ଷା ବଜେଟ୍ ବଢାଇବାକୁ ଓ ସେନାକୁ ଆଧୁନିକ ଉପକରଣରେ ସଜ୍ଜିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାପାନ, ଫିଲପାଇନ୍ସ ଓ ଭାରତ ସହିତ ସାମରିକ ଭାଗିଦାରୀ ବଢେବ ବୋଲି ଆମେରିକା କହିଛି। ହେଗସେଥ୍ କହିଛନ୍ତି ଯେ ଚୀନ୍ କୁ ରୋକିବା ଲାଗି ଭାରତ ସହିତ ଆମେରିକା ପ୍ରତିରକ୍ଷା ସହଯୋଗ ବଢାଇବା ମଧ୍ୟ ଜରୁରି। 

ହେଗସେଥ୍ କହିଛନ୍ତି ଯେ ସରକାରକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ସହିତ ଟାରିଫ ୱାର ଆରମ୍ଭ କରଥିଲେ ଓ ଏଆଇ ଟେକ୍ନୋଲଜି ପର୍ଯ୍ୟନ୍ତ ଚୀନ୍‌ର ପହଞ୍ଚ ସୀମିତ କରିବା ପାଇଁ ପ୍ରୟାସ କରିଛନ୍ତି। ଅନ୍ୟପଟେ ଫିଲପାଇନ୍ସ ଭଳି ଦେଶ ସହିତ ପ୍ରତିରକ୍ଷା ସହଯୋଗ ବଢା ଯାଇଛି। ହେଗସେଥ୍ କହିଛନ୍ତି ଯେ ତାଇୱାନ ଦଖଲ କରିବା ପାଇଁ ଚୀନ ତାର ସୈନ୍ୟ କ୍ଷମତା ବଢାଉଛି ଓ ଏଥି ପାଇଁ ଲଗାତାର ରିହର୍ସେଲ ମଧ୍ୟ କରୁଛି। 

ସେ କହିଛନ୍ତି ଯେ ଚୀନ୍‌ ଯେଉଁଭଳି ଭାବେ ସାଇବର ଆକ୍ରମଣ କରୁଛି ଓ ଏଥିରେ ପଡୋସୀମାନେ ଯେଉଁଭଳି ହଇରାଣ ହେଉଛନ୍ତି ଏହା ଏକ ଚେତାବନୀ ଅଟେ। ବେଜିଂ ବିବାଦୀୟ ଜଳମାର୍ଗକୁ ମଧ୍ୟ ନିଜର ଦାବିକରୁଛି, ଯେଉଁ ରାସ୍ତାରେ  ୬୦ପ୍ରତିଶତରୁ ଅଧିକ ବୈଶ୍ୱିକ ବାଣିଜ୍ୟ ହେଉଛି। ଏଥିପାଇଁ ଗତ ମାସ ମାନଙ୍କରେ ଚୀନ୍ ବାରମ୍ବାର ଫିଲପାଇନ୍ସ ସହିତ ମୁହାଁମୁହିଁ ହୋଇଛି। ହେଗସେଥ୍ ସିଙ୍ଗାପୁରରେ ଚୀନ୍‌ ଆଡୁ ସମ୍ଭାବିତ ବିପଦ ସମ୍ପର୍କରେ କହୁଥିବା ବେଳେ ଚୀନ୍‌ ନେଭି ଓ ଏୟାରଫୋର୍ସ ଫିଲପାଇନ୍ସର ବିବାଦୀୟ ଅଞ୍ଚଳରେ ଯୁଦ୍ଧାଭ୍ୟାସ ଚଳାଇଛି। ଏହି ସମ୍ମିଳନୀକୁ ବେଜିଂ ତାର କୌଣସି ପ୍ରତିନିଧିଙ୍କୁ ମଧ୍ୟ ପଠାଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.