ନୂଆଦିଲ୍ଲୀ: ଭୟଙ୍କର ସ୍ଥିତିରେ ଗତି କରୁଛି ବିଶ୍ୱ। ମହାଶକ୍ତିର ଅଧିକାରୀ ହେବାକୁ ପରମାଣୁକୁ ନେଇ ପ୍ରତିଯୋଗିତା ! ପରମାଣୁ ଅସ୍ତ୍ରଶସ୍ତ୍ରର ବୃଦ୍ଧି, ନୂତନ ଅସ୍ତ୍ରଶସ୍ତ୍ରର ବିକାଶ ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣର ଅଭାବ ଏକ ନୂଆ ପ୍ରତିଯୋଗିତାକୁ ଜନ୍ମ ଦେଉଛି। ଭାରତ ଏବଂ ପାକିସ୍ତାନ ଭଳି ଅଞ୍ଚଳରେ ଏହି ବିପଦ ଆହୁରି ଗୁରୁତର। ପରମାଣୁ ଅସ୍ତ୍ରଶସ୍ତ୍ର ସୁରକ୍ଷାର ଗ୍ୟାରେଣ୍ଟି ନୁହେଁ ଏହା ଭୟଙ୍କର ପରିଣାମ ଆଣିପାରେ। ବିଶ୍ୱକୁ ବଡ଼ ଚେତାବନୀ ଦେଇଛି SIPRI-2025 ରିପୋର୍ଟ।
ବିଶ୍ୱର ନଅଟି ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ। ଆମେରିକା, ରୁଷ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ। ୨୦୨୪ରେ ସେମାନଙ୍କର ପରମାଣୁ ଅସ୍ତ୍ରକୁ ଆଗକୁ ବଢ଼ାଇ ଚାଲିଥିଲେ। ଏହି ଦେଶଗୁଡ଼ିକ ପୁରୁଣା ଅସ୍ତ୍ରଶସ୍ତ୍ରକୁ ଅପଗ୍ରେଡ୍ କରିଥିଲେ ଏବଂ ସେମାନଙ୍କର ସେନାରେ ନୂତନ, ଅଧିକ ଶକ୍ତିଶାଳୀ ଅସ୍ତ୍ର ଯୋଡିଛନ୍ତି। ଏହି ପରିସ୍ଥିତି ବିଶ୍ୱ ସୁରକ୍ଷା ପାଇଁ ଏକ ବଡ଼ ବିପଦ ପାଲଟିଛି।
୨୦୨୫ ଜାନୁଆରୀ ସୁଦ୍ଧା, ବିଶ୍ୱରେ ପ୍ରାୟ ୧୨୨୪୧ ପରମାଣୁ ଅସ୍ତ୍ର ଥିଲା। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରୁ ପ୍ରାୟ ୯୬୧୪ ସାମରିକ ଭଣ୍ଡାରରେ ବ୍ୟବହାର ପାଇଁ ପ୍ରସ୍ତୁତ ଥିଲା। ପ୍ରାୟ ୩୯୧୨ ଅସ୍ତ୍ରଶସ୍ତ୍ର ମିଶାଇଲ ଏବଂ ବିମାନରେ ନିୟୋଜିତ କରାଯାଇଥିଲା। ବାକିସବୁ କେନ୍ଦ୍ରୀୟ ସଂରକ୍ଷଣରେ ରଖାଯାଇଥିଲା। ପ୍ରାୟ ୨୧୦୦ ନିୟୋଜିତ ଅସ୍ତ୍ରଶସ୍ତ୍ର ବାଲିଷ୍ଟିକ୍ ମିଶାଇଲ ଉପରେ ଉଚ୍ଚ ସତର୍କତା ଅବଲମ୍ବନ ଅବସ୍ଥାରେ ଥିଲା। ଏହା ମଧ୍ୟରୁ ଅଧିକାଂଶ ରୁଷ ଏବଂ ଆମେରିକାର ମାଲିକାନା ଥିଲା। ବିଶେଷଜ୍ଞଙ୍କ କହିବା କଥା ଏବେ ଚୀନ୍ ଶାନ୍ତି ସମୟରେ ମଧ୍ୟ କିଛି ଅସ୍ତ୍ରଶସ୍ତ୍ର ମିଶାଇଲରେ ନିୟୋଜିତ ରଖିପାରିବ।
ଶୀତଳ ଯୁଦ୍ଧ ଶେଷ ହେବା ପରେ ବିଶ୍ୱ ପରମାଣୁ ଅସ୍ତ୍ର ସଂଖ୍ୟା ହ୍ରାସ କରିଥିଲା। କିନ୍ତୁ ବର୍ତ୍ତମାନ ଏହି ଧାରା ପରିବର୍ତ୍ତନ ହେଉଛି। ପୁରୁଣା ଅସ୍ତ୍ର ନଷ୍ଟ କରିବାର ଗତି ଧୀର ହେଉଛି, ଯେତେବେଳେ ନୂତନ ଅସ୍ତ୍ର ନିୟୋଜନ ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ବିଶେଷଜ୍ଞ ହାନ୍ସ ଏମ୍. କ୍ରିଷ୍ଟେନସେନ୍ କହିଛନ୍ତି ଯେ ପରମାଣୁ ଅସ୍ତ୍ର ସଂଖ୍ୟା ହ୍ରାସର ଯୁଗ ଶେଷ ହେଉଛି। ବର୍ତ୍ତମାନ ଆମେ ପରମାଣୁ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି, ତୀବ୍ର ବୟାନବାଜି ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମା ପରିତ୍ୟାଗ କରିବାର ଧାରା ଦେଖୁଛୁ।
ରୁଷ ଏବଂ ଆମେରିକା ପାଖରେ ବିଶ୍ୱର ୯୦% ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ୨୦୨୪ରେ ଉଭୟ ଦେଶର ସାମରିକ ଭଣ୍ଡାର ସ୍ଥିର ରହିଥିଲା, କିନ୍ତୁ ଉଭୟ ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ର ଆଧୁନିକୀକରଣରେ ନିୟୋଜିତ ଅଛନ୍ତି। ୨୦୧୦ରେ ହୋଇଥିବା START ଚୁକ୍ତି ୨୦୨୬ରେ ଶେଷ ହେଉଛି। ଯଦି ଏହି ଚୁକ୍ତି ଆଗକୁ ବଳବତ୍ତର ନରୁହେ, ତେବେ ଉଭୟ ଦେଶର ମିଶାଇଲ ଉପରେ ନିୟୋଜିତ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି ପାଇପାରେ।
SIPRI ଅନୁଯାୟୀ, ଚୀନ୍ ପାଖରେ ବର୍ତ୍ତମାନ ଅତି କମରେ ୬୦୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ଜାନୁଆରୀ ୨୦୨୫ ସୁଦ୍ଧା, ଚୀନ୍ ୩୫୦ଟି ନୂତନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ସିଲୋ ତିଆରି କରିସାରିଛି। ଯଦି ଚୀନ୍ ଏପରି ଜାରି ରଖେ, ତେବେ ଦଶନ୍ଧି ଶେଷ ସୁଦ୍ଧା ରୁଷ କିମ୍ବା ଆମେରିକା ପରି ଅନେକ ICBM ତିଆରି କରିପାରିବ।
ଭାରତ ୨୦୨୪ରେ ତା’ର ପରମାଣୁ ଅସ୍ତ୍ରକୁ ସାମାନ୍ୟ ବୃଦ୍ଧି କରିଥିଲା। ଭାରତର ନୂତନ "କ୍ୟାନିଷ୍ଟରାଇଜଡ୍" ମିଶାଇଲ, ଯାହା ପରମାଣୁ ଅସ୍ତ୍ର ବହନ କରିପାରିବ। ପାକିସ୍ତାନ ମଧ୍ୟ ତା’ର ପରମାଣୁ ଷ୍ଟକ୍ ବୃଦ୍ଧି କରୁଛି। ୨୦୨୫ ପ୍ରାରମ୍ଭରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରମାଣୁ ସଙ୍କଟର ବିପଦ ବଢ଼ାଇ ଦେଇଥିଲା। SIPRI ବିଶେଷଜ୍ଞ ମ୍ୟାଟ୍ କୋର୍ଡା କହିଛନ୍ତି ଯେ ଏହି ଘଟଣା ପରମାଣୁ ଅସ୍ତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି କରୁଥିବା ଦେଶମାନଙ୍କ ପାଇଁ ଏକ ଚେତାବନୀ।
SIPRI ନିର୍ଦ୍ଦେଶକ ଡାନ୍ ସ୍ମିଥ୍ ଚେତାବନୀ ଦେଇଛନ୍ତି ଯେ ରୁଷ ଏବଂ ଆମେରିକା ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପ୍ରାୟ ଶେଷ ହୋଇଗଲାଣି। ଏହା ପରେ କୌଣସି ନୂତନ ଚୁକ୍ତି ହେବାର ସମ୍ଭାବନା କମ୍ ରହିଛି। ଆମେରିକା ଚାହେଁ ଯେ ଚୀନକୁ ଭବିଷ୍ୟତର ଚୁକ୍ତିନାମାରେ ସାମିଲ କରାଯାଉ, ଯାହା ଭାରତ ପାଇଁ ବିପଦ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ସାଇବର ପ୍ରଯୁକ୍ତିବିଦ୍ୟା, ମହାକାଶ ସମ୍ପତ୍ତି ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପରମାଣୁ କ୍ଷମତାକୁ ପରିବର୍ତ୍ତନ କରୁଛି। ଏହି ପ୍ରଯୁକ୍ତିବିଦ୍ୟା ପରମାଣୁ ଅସ୍ତ୍ରର ସୁରକ୍ଷାକୁ ପ୍ରଭାବିତ କରିପାରେ। ଏଗୁଡ଼ିକ ସଙ୍କଟରେ ଭୁଲ ନିଷ୍ପତ୍ତି ନେବାର ବିପଦକୁ ବୃଦ୍ଧି କରିପାରେ। ନୂତନ ଅସ୍ତ୍ର ଦୌଡ଼ ପୂର୍ବ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ।