ଭୁବନେଶ୍ୱର ୧୮।୬: ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ । ଆଗାମୀ ୧୧ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ ।
ଆଜି ଏହି “ଆଦିବାସୀ ଶକ୍ତି ସମାବେଶ”ରେ ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ହେଉଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବାର ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରି ଆସୁଛି । ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା । ଆମେ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଓ ସାମାଜିକ ସୁରକ୍ଷାରେ ଉନ୍ନତି କରିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶା ରାଜ୍ୟ ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ । ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟର ଜୀବିକା ବିକାଶକୁ ପ୍ରୋତ୍ସାହନ କରାଯାଉଛି । ଶିକ୍ଷାକୁ ସୁଦୂରପ୍ରସାରି କରିବା ନିମନ୍ତେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାଟିକୁ ଆରମ୍ଭ ହୋଇଛି । 'ବିକଶିତ ଓଡ଼ିଶା, ବିକଶିତ ଭାରତ'ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜନାର ପ୍ରଚାର ପ୍ରସାର କରାଯାଉଛି । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଆମ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ଆଦିବାସୀ ସଶକ୍ତିକରଣ ଆମ ପାଇଁ କେବଳ ଏକ ସ୍ଲୋଗାନ କିମ୍ବା ଭୋଟ୍ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ନୁହେଁ । ଏହା ଆମ ସରକାରଙ୍କ ଆପଣଙ୍କ ପାଇଁ ପ୍ରତିବଦ୍ଧତା ।
ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଂସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ, ଜଲେନ୍ ମୁର୍ମୁ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ନିର୍ଦ୍ଦେଶିକା ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read: