ନରମିଲା ତହସିଲଦାରଙ୍କ ସ୍ବର : ହଟିଲା ‘ଜୋତା ପିନ୍ଧି ପ୍ରବେଶ ମନା’ ପୋଷ୍ଟର, ଲୋକଙ୍କ ପାଇଁ ପଡିଲା ଚେୟାର

Published By : Prameya-News7 Bureau | June 25, 2025 IST

ଆନନ୍ଦପୁର ୨୫।୬: ଖବର ପ୍ରସାରଣ ପରେ ଭାଙ୍ଗିଲା ତହସିଲଦାରଙ୍କ ଘମଣ୍ଡ । ହଟିଲା ‘ଜୋତା ପିନ୍ଧି ତହସିଲଦାର ଚାମ୍ବରକୁ ପ୍ରବେଶ ମନା’ର ପୋଷ୍ଟର । ଲୋକଙ୍କ ପାଇଁ ଚାମ୍ବର ଭିତରେ ପଡିଲା ଚେୟାର । ସାଧାରଣ ଲୋକ ଜୋତା ପିନ୍ଧି ତହସିଲଦାରଙ୍କ ଚାମ୍ବର ଭିତରେ ଚେୟାରରେ ବସି ନିଜ ନିଜ ସମସ୍ୟା ସମ୍ପର୍କରେ ତହସଲଦାରଙ୍କ ସହ ଆଲୋଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । 

ଅନ୍ୟପଟେ ଗୋଟିଏ ଦିନ ପୂର୍ବରୁ ‘ମୁଁ ଯାହା କରିଛି ଠିକ୍ କରିଛି’ ଆପଣ ଉପରସ୍ଥ ଅଧିକାରୀଙ୍କୁ ପଚାରନ୍ତୁ ବୋଲି ଚଢା ଗଳାରେ କହୁଥିବା ତହସଲଦାରଙ୍କ ସ୍ବର ଆଜି ନରମି ଯାଇଛି । ଗୋଟାଏ ଦିନ ପୂର୍ବରୁ ନିଜକୁ ଠିକ୍ ବୋଲି କହୁଥିବା ତହସିଲଦାର ଆଜିର ଏ ପରିବର୍ତ୍ତନ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବାକୁ ନରାଜ । ସେପଟେ ତହସିଲଦାରଙ୍କ ବାବୁଗିରି ସମ୍ପର୍କରେ ଉପଜିଲ୍ଲାପାଳ କହିଛନ୍ତି ଘଟଣା ସମ୍ପର୍କରେ ମୁଁ ଅବଗତ ନୁହଁ । ଘଟଣାର ବିଚାର କରାଯାଇ ପଦକ୍ଷେପ ଗ୍ରହଣ ହେବ ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲଦାର ଅଭୟ କୁମାର ସ୍ବାଇଁ କିଛି ଦିନ ହେବ ଚଳାଇଥିଲେ ତାଙ୍କ ବାବୁଗିରି । ତହସିଲ କାର୍ଯ୍ୟାଳୟ ଠାରେ ଥିବା ନିଜ ଚାମ୍ବର କାନ୍ଥରେ ଲଗାଇଥିଲେ ପୋଷ୍ଟର । ଯେଉଁଥିରେ ଲେଖାଥିଲା ଚାମ୍ବର ମଧ୍ୟକୁ ଜୋତା ପିନ୍ଧି ସର୍ବସାଧାରଣ ପ୍ରବେଶ ମନା । ଖାଲି ଏତିକି ନୁହଁ ବାବୁ ନିଜ ଚାମ୍ବରରେ ଲୋକଙ୍କ ପାଇଁ ପଡିଥିବା ଚେୟାର ମଧ୍ୟ ହଟାଇ ଦେଇଥିଲେ ।  ଲୋକେ ତାଙ୍କ ନିକଟକୁ ଆସିଲେ ଖାଲି ପାଦରେ ବାବୁଙ୍କ ସାମ୍ନାରେ ଠିଆହୋଇ ନିଜ ଗୁହାରୀ ଜଣାଉଥିଲେ । ଯାହାକି ବାବୁଙ୍କ ଲୋକଙ୍କ ପ୍ରତି ଥିବା ହୀନମାନ୍ୟତାକୁ ପ୍ରମାଣିତ କରିଥିଲା । ତେବେ ଚାମ୍ବରରେ ଠାକୁର ଥିବାରୁ ଜୋତା ମନା ଓ ଚେୟାର ପକାଇଲେ ଲୋକେ ଖଟି କରିବେ କାମ କିଛି ହେବନାହିଁ ବୋଲି ଉତ୍ତର ରଖିଥିଲେ । 

You Can Read:

ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଗସ୍ତ କରିବେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.