ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ହାଇକୋର୍ଟଙ୍କୁ ସୂଚିତ କରିଛନ୍ତି ଯେ,ସେ ପାକିସ୍ତାନୀ ନାଗରିକ ରକ୍ଷନ୍ଦା ରାଶିଦଙ୍କୁ ପରିଦର୍ଶକ ଭିସା ( ଭିଜିଟର ଭିସା) ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବହିଷ୍କାର କରା ଯାଇଥିଲା। ନିଷ୍ପତ୍ତି ଅନୁସାରେ, ରକ୍ଷନ୍ଦା ରାଶିଦଙ୍କୁ ଜମ୍ମୁରୁ ବହିଷ୍କାର କରି ଦିଆ ଯାଇଥିଲା, ଯାହାପରେ କୋର୍ଟ ମହିଳାଙ୍କ ପକ୍ଷରୁ ଭାରତ ଫେରିବାର ଅନୁମତି ମାଗିଥିବା ଆବେଦନକୁ ଖାରଜ କରି ଦେଇ ଥିଲେ। ହେଲେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗୃହ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ କୌଣସି ପ୍ରକାରର ଉଦାହରଣ ଭାବେ ଦେଖା ଯିବା ଉଚିତ ନୁହେଁ।
ରକ୍ଷନ୍ଦା ରାଶିଦ ୩୫ ବର୍ଷ ପୂର୍ବେ ଜମ୍ମୁରେ ଭାରତୀୟ ନାଗରିକ ଶେଖ ଜହୁର ଅହମ୍ମଦଙ୍କୁ ବିବାହ କରିଥିଲେ। ତାଙ୍କୁ ସେହି ପାକିସ୍ତାନୀ ନାଗରିକଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରି ଦେଶାନ୍ତର କରାଯାଇ ଥିଲା , ଯାହାଙ୍କୁ ସରକାର ୨୨ ଅପ୍ରେଲରେ ପହଲଗାମ ଆତଙ୍କୀ ହମଲା ପରେ ଦେଶାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟଙ୍କୁ କହିଛନ୍ତି ଯେ , ଏହି ମାମଲାର ବିଶେଷ ପରିସ୍ଥିତି ଗୁଡ଼ିକୁ ଦେଖି ମନ୍ତ୍ରଣାଳୟ ବିଚାର ବିମର୍ଶ ପରେ ତାଙ୍କୁ ଆଗନ୍ତୁକ ଭିସା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ବିଚାରପତି ଅରୁଣ ପାଲି ଓ ବିଚାରପତି ରଜନୀଶ ଓସୱାଲଙ୍କ ଖଣ୍ଡପୀଠ ଏହି ବକ୍ତବ୍ୟକୁ ରେକର୍ଡ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି , ରକ୍ଷନ୍ଦା ରାଶିଦ ଭାରତୀୟ ନାଗରିକତା ଓ ଦୀର୍ଘକାଳିନ ଭିସା ପାଇଁ ଦାଏର ନିଜର ଉଭୟ ଆବେଦନକୁ ଆଗକୁ ବଢାଇ ପାରିବେ। କୋର୍ଟ ସଲିସିଟର ଜେନେରାଲଙ୍କର ଯୁକ୍ତିକୁ ରେକର୍ଡ କରି କହିଛନ୍ତି , ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ନୀତିଗତ ନିଷ୍ପତ୍ତି ନିଆଯାଇଛି। ଔପଚାରିକତା ସମାପ୍ତ ହେବା ପରେ ତାଙ୍କୁ ଶୀଘ୍ର ଆଗନ୍ତୁଷ ଭିସା ଜାରି କରିଦିଆ ଯିବ।