ମନେ ପଡନ୍ତି ମିଶାଇଲ ମ୍ୟାନ୍, ପୁଣ୍ୟାତ୍ମା ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମଜୟନ୍ତୀ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ ୧୫/୧୦: ‘ମିଶାଇଲ ମ୍ୟାନ୍ । ପୁରା ନାମ ଅବୁଲ ପକିର ଜୈନୁଲ୍ଲାବ୍ଦିନ କଲାମ ।  ୧୯୩୧ରେ ତାମିଲନାଡୁ ରାମେଶ୍ୱରମର ମୁସଲମାନ ପରିବାରରେ ଜନ୍ମ । ମାଟ୍ରିକ ସରିବା ପରେ ତିରୁଚିରାପଲ୍ଲୀ ସେଣ୍ଟ ଯୋଶେଫ୍ କଲେଜରେ ପାଠପଢା । ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ, ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ଡିଆରଡିଓରେ ବୈଜ୍ଞାନିକ ଭାବେ ଯୋଗ ଦେଲେ । ଆଜି ତାଙ୍କ ଜନ୍ମଦିନକୁ ଛାତ୍ର ଦିବସରେ ଭାବେ କରାଯାଉଛି ପାଳନ । 

ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାମ କରିବାର ଚାନ୍ସ ପାଇଥିଲେ ସେ । ଆଇଏନସିଓଏସପିଏଆର କମିଟିରେ ସାମିଲ ହେବାର ପାଇଥିଲେ ସୁଯୋଗ । ସେଥିପାଇଁ ତ ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ବୋଲି କହୁଥିଲେ କଲାମ । ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)କୁ ବଦଳି ହୋଇ ଆସିଥିଲେ ଏପିଜେ । ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ ସେ । ୧୯୯୮ ପୋଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିଶାଇଲ ମ୍ୟାନ୍’ । 


୨୦୦୨ ଜୁଲାଇ ୨୫ ଭାରତକୁ ମିଳିଥିଲା ନୂଆ ରାଷ୍ଟ୍ରପତି । ୨୦୦୯ ଜୁଲାଇ ୨୫ ଯାଏଁ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହି ସମୟ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ପିଲାଙ୍କୁ ବୁଝାଇଥିଲେ ବିଜ୍ଞାନକୁ ଅତି ସରଳ ଜ୍ଞାନ । ଖାଲି ସେତିକି ନୁହେଁ ପିଲାଙ୍କ ସହ ସମୟ ଅତିବାହିତ କରିବା ଥିଲା ତାଙ୍କର ପସନ୍ଦ । ପିଲାଙ୍କ ପ୍ରତି ଥିବା ତାଙ୍କର ଅହେତୁକ ଭଲପାଇବାକୁ ନେଇ ତାଙ୍କୁ କୁହାଯାଉଥିଲା ‘ଦ୍ୱିତୀୟ ଚାଚା’ । 

ମହାକାଶ ବିଜ୍ଞାନ ଓ ପ୍ରତିକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଇଥିଲା । ୨୦୧୫ ଜୁଲାଇ ୨୭ ତାରିଖରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦଘାତରେ ଅବଦୁଲ କଲାମଙ୍କର ମହାପ୍ରୟାଣ ହୋଇଥିଲା । ଆଉ ସବୁଦିନ ପାଇଁ ଆମକୁ ଛାଡିଯାଇଥିଲେ ଏପିଜେ ଅବଦୁଲ କଲାମ । ଆଜି ସେ ନାହଁନ୍ତି ସତ କିନ୍ତୁ ତାଙ୍କର ଅବଦାନକୁ ମନେରଖିଛି ସାରା ଦେଶ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.