ବ୍ରହ୍ମପୁର ୨୫।୭: ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ କୋଠାରୁ ପୁଣି ଖସିଲା ସିଲିଂ । ଚତୁର୍ଥ ମହଲାରୁ ଖସିଲା ସିଲିଂ । ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି ମେଡିକାଲ । ଏହି ମେଡିକାଲକୁ ବିଭିନ୍ନ ଅଞ୍ଚଳରୁ ଦୈନିକ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଏଠାକାର କୋଠାର ଆନୁସଙ୍ଗିକ ବ୍ୟବସ୍ଥା ଠିକ୍ ନଥିବାରୁ ରୋଗୀ ଏବେ ଭୟଭୀତ ।
ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଷ୍ଟ ପିଏମଏସଏସୱାଇ କୋଠାର ୪ର୍ଥ ମହଲାରୁ ସିଲିଂ ଖସିଛି । ସିଲିଂ ଖସିବା ସହ ପାଣି ବି ପଡୁଛି । କାମ ସରିବାର ୫ ମାସ ନ ପୁରୁଣୁ ସିଲିଂ ଖସିବା ସୁରକ୍ଷିତ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ପଞ୍ଚମ ମହଲାର ଅବସ୍ଥା ମଧ୍ୟ ସଙ୍ଗୀନ । ନର୍ସିଂ ଅଫିସର ଚାମ୍ବର ଭିତରେ ସିଲିଂ ଖସି ପାଣି ଗଳୁଛି । ଭୟଭୀତ ଅବସ୍ଥାରେ ନର୍ସିଂ ଷ୍ଟାଫ୍ ସମେତ ଅନ୍ୟ କର୍ମଚାରୀ । ରୋଗୀମାନେ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । କେତେବେଳେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ଉପରେ ସିଲିଂ ଖସି ଅଘଟଣ ଘଟିବା ଆଶଙ୍କା କରିଛନ୍ତି । କିଛି ମାସ ବ୍ୟବଧାନ ପରେ ପୁଣି ସିଲିଂ ଖସିଲା । ଗତ ଦୁଇ ବର୍ଷ ପୂର୍ବେ ବାରମ୍ବାର ସିଲିଂ ଖସିଥିଲା । ସେତେବେଳେ କିଛି ରୋଗୀ ଆହତ ହୋଇଥିଲେ । ଏହାପରେ କୋଟି କୋଟି ଟଙ୍କାର ଖର୍ଚ୍ଚରେ ପୁରା କୋଠାର ସିଲିଂ ବଦଳାଇବାକୁ ନିଷ୍ପତି ହୋଇଥିଲା । ନିଷ୍ପତି ଅନୁଯାୟୀ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପୁଣି ସିଲିଂ ଖସିଛି । ନିମ୍ନମାନର ସିଲିଂ ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି ।
You Can Read:
ଗାଁ ଶ୍ମଶାନରୁ ଶବ ନେଉଛି କିଏ ? ଏକସଙ୍ଗେ ୪ ଶବ ଉଭାନ, ଆର୍ନ୍ତଜାତୀୟ ରାକେଟ୍ର ହାତଥିବା ସନ୍ଦେହ