ନୂଆଦିଲ୍ଲୀ 18/06 : ଆଖିରୁ ବନ୍ଦ୍ ହେଉନି ଲୁହ... ଦୁଃଖ, ଅସହାୟତାରେ ପ୍ରିୟମାଣ ବାପ ଛିଡ଼ା ହୋଇ ପାରୁ ନାହାନ୍ତି। ଏମିତି ଦୃଶ୍ୟ କଣ ଥିଲା ତାଙ୍କ ଭାଗ୍ୟରେ। ସବୁଠୁ ବେଶି ଭଲ ପାଉଥିବା ପୁଅ ଏମିତି କଣ ଛାଡ଼ି ଯାଇପାରେ। ଫୁଲ ଢଙ୍କା ଶରୀରର ମୁହଁଟିକୁ ବି ଶେଷରେ ଦେଖି ହେଲାନି। ଟିକିଏ ଛୁଇଁବାକୁ , ଶେଷଥର ଗେଲଟିକେ କରିବାକୁ ଅବସର ବି ଦେଲେନି ଭଗବାନ୍। କେତେ ନିଷ୍ଠୁର ଏ ବିଧି , କେତେ ହତଭାଗ୍ୟ ବାପ ମୁଁ। ଆଉ କିଛି ଦିନ ପରେ ସଦା ପାଖେ ରହିବାର ଭରସା ଦେଇଥିବା ପୁଅ ଆଉ ଫେରିଲାନି। ସବୁବେଳେ କ୍ୟାପଟେନ୍ ୟୁନିଫର୍ମରେ ରହୁଥିବା ପୁଅର ଶରୀର ଚିହ୍ନି ହେଉ ନଥିଲା। କିନ୍ତୁ ଧଳା ଚାଦର ଓ ଫୁଲର ଆସ୍ତରଣ ଭିତରେ ଥିଲେ ବି ତାକୁ କୁଣ୍ଢାଇ କାନ୍ଦିବାର ଆକୁଳତାରେ ବ୍ୟସ୍ତ ବୃଦ୍ଧ ବାପାଙ୍କ ଉଦବିଘ୍ନତା ବେଶ୍ ବାରି ହେଉଥିଲା। ଚଷମା ତଳୁ ଲୁହରେ ତାଙ୍କ ଲାଲ୍ ଆଖି ବେଶ୍ ଦିଶୁଥିଲା। ଆତ୍ମୀୟ ଓ ପରିଚିତ କାହାରି ପାଖରେ ଭାଷା ନଥିଲା ପୁତ୍ର ହରା ବୃଦ୍ଧ ବାପାଙ୍କୁ ପ୍ରବେଧନା ଦେବାର। ଏଦୃଶ୍ୟ ଯେତିକି ଦୁଃଖଦ, ତାକୁ ଭାବିବା ଓ ମନେ ପକାଇବା ଆହୁରି କଷ୍ଟକର। ହେ ଭଗବାନ.....।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପ୍ଟେନ ସୁମିତ ସବରୱାଲଙ୍କ ଶେଷ ଯାତ୍ରାର ଏ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ଭାଇରାଲ ହେଉଥିବା ଭିଡିଓରେ କ୍ୟାପ୍ଟେନ ସୁମିତଙ୍କ ବାପା ପୁଅକୁ ଦେଇଛନ୍ତି ଶେଷ ବିଦାୟ। ପୁଅର ଫଟୋ ଆଗରେ ହାତ ଯୋଡି କାନ୍ଦୁଥିବାର ଦେଖିବାକୁ ମିଳିଛି। ତାଙ୍କର ଥରୁଥିବା ଓଠ, ଲୁହ ଭିଜା ଆଖି ବାପାଙ୍କ ଯନ୍ତ୍ରଣା ବୟାନ କରୁଛି। ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ସୁମିତ ସବରୱାଲ, ଜୁନ୍ 12 ତାରିଖରେ ବୋଇଙ୍ଗ 787 ଡ୍ରିମଲାଇନର୍ ଟ୍ରାଜେଡ଼ିର ଅଂଶ ଥିଲେ। ଏହି ଦୁର୍ଘଟଣାରେ 12 ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ 241 ଜଣଙ୍କର ମୃତ୍ୟୁ ହୋଇଥିଲା। ମୁମ୍ବାଇର ବାସିନ୍ଦା ସୁମିତ ସେହି ବିମାନର ପାଇଲଟ୍ ଥିଲେ ଏବଂ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିମାନକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇ ପାରି ନଥିଲା।
କ୍ୟାପ୍ଟେନ୍ ସୁମିତ୍ ସବରୱାଲ। ଚାକିରି ଛାଡି ବାପାଙ୍କ ଦେଖାଶୁଣା କରିଥାନ୍ତେ। ସୁମିତ ଅବିବାହିତ , ସେ ମୁମ୍ବାଇର ପୋୱାଇରେ ୮୮ ବର୍ଷୀୟ ବାପାଙ୍କ ସହ ରହୁଥିଲେ । ବୟସ ଅଧିକ ଯୋଗୁଁ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଥିଲା । କିଛି ମାସ ପରେ ସେ ଚାକିରି ଛାଡିବାକୁ ଚାହୁଁଥିଲେ । ବାପାଙ୍କୁ ଅଧିକ ସୟୟ ଦେବାକୁ ଚାହୁଁଥିଲେ । ହେଲେ ବିଧାର ବିଧାନ ଥିଲା କିଛି ଅଲଗା । ନିଷ୍ଠୁର ନିୟତି ସବୁ କିଛି ଉଜାଡି ଦେଲା। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଚାଲିଗଲା ୫୬ ବର୍ଷୀୟ କ୍ୟାପ୍ଟେନ୍ ସୁମିତଙ୍କ ଜୀବନ । ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବାପା ନିରାଶ। କ୍ୟାପ୍ଟେନ୍ ସୁମିତ୍ ତାଙ୍କ କାମରେ ଥିଲେ ବେଶ୍ ପାରଙ୍ଗମ। ତାଙ୍କ ପାଖରେ ଥିଲା ୮୨୦୦ ଘଣ୍ଟାର ଉଡାଣ ଅଭିଜ୍ଞତା। ଶେଷ ୩୨ ସେକେଣ୍ଡରେ ବି ସେ ପ୍ଲେନରେ ଥିବା ଯାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମଙ୍ଗଳବାର ସମ୍ପର୍ଣ୍ଣ ହୋଇଛି ତାଙ୍କ ଶେଷକୃତ୍ୟ ।
ପୂରା ପରିବାର ସହ, ଶହ ଶହ ଲୋକ ଏକାଠି ହୋଇ ତାଙ୍କୁ ଦେଇଛନ୍ତି ବିଦାୟ। ବେଶି ଦୁଃଖ ଦେଇଥିଲା ସୁମିତଙ୍କ ବାପାଙ୍କ ସେ ଯନ୍ତ୍ରଣା। ତାଙ୍କ ଆଖିରେ କେବଳ ଲୁହ ନଥିଲା। ଥିଲା ନିରାଶା, ଅକୁହା ପ୍ରଶ୍ନ ପୁଳାଏ। ବାରମ୍ବାର ସେହି ପ୍ରଶ୍ନ ପୁଅ କିପରି ଅକାଳରେ ଚାଲିଗଲା? ଏହି ଭିଡିଓ କେବଳ ଜଣେ ବାପାଙ୍କ ଦୁଃଖର କାହାଣୀ ନୁହେଁ, ଏହା ପ୍ରତ୍ୟେକ ପରିବାରର ଯନ୍ତ୍ରଣା ଯେଉଁମାନେ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ନିଜ ପିଲାକୁ ହରାଇଛନ୍ତି।
ପୁଅର ଗୁଣଗାନ ଆଜି ସବୁଠି... କିନ୍ତୁ ବାପା ମନ କିବା ବୁଝିବ... ବୁଢ଼ା ବାପା କମ ତା ପୁଅକୁ ଆଉ ଫେରି ପାଇବା...ଓଃ କି ଦୃଶ୍ୟ ସତରେ ମନକୁ ବେଶ୍ ଆନ୍ଦୋଳିତ କରି ପକାଉଛି। ହୃଦୟ କାନ୍ଦି ଉଠୁଛି... ଏଇଠି ନ କହି ରହି ହେଉନି ହେ ଭଗବାନ ତୁମେ କାହିଁକି ବୁଢ଼ା ବାପାକୁ ଏତେ କଷ୍ଟ ଦେଲ। ଏଦୃଶ୍ୟ କୁ ଶବ୍ଦରେ ବର୍ଣ୍ଣନା କରିବା ଥିଲା ଭାରି କଷ୍ଟ ଦାୟକ ଥିଲା। କାହିଁକି ବାପାର ସେ ଦୁଃଖ ଆଗରେ ଆଜି କମ୍ ପଡ଼ି ଯାଇଛି ଶବ୍ଦକୋଷର ଶବ୍ଦ ସବୁ । କିନ୍ତୁ ଦୁଃଖ ସହିତ ଆଜି ବେଶ୍ ଗର୍ବ ଅନୁଭବ ହେଉଛି କ୍ୟାପଟେନ୍ ସୁମିତଙ୍କ ପାଇଁ। ତାଙ୍କର ସାହସର କାହାଣୀ ସବୁବେଳେ ମନେ ରହିବ ଓ ଅନେକଙ୍କୁ ପ୍ରେରଣା ଦେବ ।