ଏଥର ଟ୍ରଫି ଜିତି ପାରିବ ତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ? ଡରାଇବା ଭଳି ରହିଛି ଅତୀତର ରେକର୍ଡ

Published By : Prameya-News7 Bureau | May 31, 2025 IST

ଭୁବନେଶ୍ଵର: କଣ ଆଇପିଏଲ୍ ଫାଇନାଲ୍ ଜିତିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମନରେ ଉଙ୍କି ମାରୁଛି ଏମିତି ପ୍ରଶ୍ନ। କାରଣ ଆରସିବି ବିପକ୍ଷରେ ରହିଛି ଗତ ୩ଟି ଫାଇନାଲ୍‌ର ରେକର୍ଡ। ୯ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ଫାଇନାଲ୍‌ରେ ପହଞ୍ଚିଛି ଆରସିବି। ମାତ୍ର ଇତିହାସ ଛାଇ ଭଳି ଆରସିବିର ପିଛା ଛାଡ଼ୁନି। ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚି ବି ଖାଲି ହାତରେ ଫେରିଥିଲା ଆରସିବି। କଣ ୨୦୨୫ରେ ଏହି ଅଧୁରା କାହାଣୀର ପୁନରାବୃତ୍ତି ଘଟିବ। ନା ଏଥର ଟାଇଟଲ୍ ଜିତି ପାରିବ ଆରସିବି ?

ଆଇପିଏଲ୍ ଇତିହାସର ସବୁଠୁ ଚର୍ଚ୍ଚିତ ଓ ଇମୋସନାଲ ଦଳ ମଧ୍ୟରୁ ଅନ୍ୟତମ ହେଉଛି ଆରସିବି। ଏଥର ଦଳ ଟାଇଟଲ ଜିତିବାର ଦ୍ଵାର ଦେଶରେ। ଗତ ୩ଟି ଫାଇନାଲ୍‌ ହାରି ଦଳ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଇପିଏଲ୍‌ ଆରମ୍ଭ ହେବା ପରଠୁ ବଦଳି ଯାଇଛି ଗୋଟିଏ ପିଢି। ହେଲେ ଆରସିବି ଏ ପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତି ପାରିଲାନି। 

ଏଥର ଆରସିବି ଆଇପିଏଲ୍‌ରେ ଯେଉଁ ଭଳି ପ୍ରଦର୍ଶନ କରିଛି ଦଳର ଚାମ୍ପିଅନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ସିଜିନରେ ଅନେକ ରେକର୍ଡ ସ୍ଥାପନ କରିଛି ଦଳ। ୧୮ ବର୍ଷର ଆଇପିଏଲ୍ ଇତିହାସରେ ଆରସିବି ପ୍ରଥମ ଦଳ ଯିଏ ଅନ୍ୟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଜିତିଛି। ଅର୍ଥାତ ଇ ସାଲ୍ କପ ନାମଡେ। ଏହାର ଅର୍ଥ ହେଉଛି ଚଳିତ ବର୍ଷ କପ୍ ଆମର। ଆଉ ଏହି ସଂଳାପ ସତ ବି ହୋଇପାରେ। ଇ ସାଲ୍ କପ ନାମଡେ ସ୍ଲୋଗାନ କନ୍ନଡ ଭାଷାର ସ୍ଲୋଗାନ। ଏହାର ଆରସିବି ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। 

ମେ ୨୯ରେ ପଞ୍ଜାବ କିଙ୍ଗ୍ସକୁ ପ୍ରଥମ କ୍ଵାଲିଫାୟରରେ ହରାଇବା ପରେ ଆଇପିଏଲ୍ ୨୦୨୫ର ଫାଇନାଲ୍‌ରେ ପହଞ୍ଚିଛି ଆରସିବି। ତେଣୁ ପୁଣି ଥରେ ଆରସିବିର ଟ୍ରଫି ଜିତିବାର ଆଶା ଆକାଶ ଛୁଆଁ ରହିଛି। ଏଥର ଦଳ ନୂଆ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ଵରେ ଇତିହାସ ରଚିବାର ଦ୍ଵାର ଦେଶରେ ରହିଛି। 

ହେଲେ ଆରସିବି ଦଳ ସହିତ ଇତିହାସର ପୃଷ୍ଠାରେ କିନ୍ତୁ-ପରନ୍ତୁ ଯୋଡ଼ି ହୋଇ ରହିଛି। ଏହା ପୁରୁଣା ଆରସିବିର ଆଇପିଏଲ୍ ଫାଇନାଲ୍ ପରାଜୟର ସ୍ମୃତିକୁ ତାଜା କରି ଦେଉଛି। କଣ ଏଥର ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ଵାଧୀନ ଆରସିବି ଫାଇନାଲ୍‌ର ଚୋକର ଟ୍ୟାଗ୍ ହଟାଇବାରେ ସଫଳ ହେବ ? ନା ଏଥର ଫାଇନାଲ୍‌ ବିଗତ ଫାଇନାଲ୍ ପରି ହେବ। କାରଣ ଆଇପିଏଲ୍ ଫାଇନାଲ୍‌ରେ ପହଞ୍ଚି ଏହି ଦଳ ଚୋକର୍ସ ସାବ୍ୟସ୍ତ ହୋଇଛି। ଥରେ କି ଦୁଇ ଥର ନୁହେଁ ତିନି ଥର ଫାଇନାଲ୍ ହାରିଛି। 

ଆଇପିଏଲ୍ ୨୦୦୯ ଦ୍ଵିତୀୟ ସଂସ୍କରଣରେ ଫାଇନାଲ୍‌ରେ ପହଞ୍ଚିଥିଲା ଆରସିବି। ୨୦୦୯ ମେ ୨୪ ତାରିଖରେ ଜୋହାନ୍ସବର୍ଗରେ ଖେଳା ଯାଇଥିଲା ଆରସିବି ଓ ଡେକାନ ଚାର୍ଜର୍ସ ମଧ୍ୟରେ ଫାଇନାଲ୍ ମୁକାବିଲା । ଆଡାମ ଗିଲଖ୍ରୀଷ୍ଟଙ୍କ ନେତୃତ୍ଵାଧୀନ ଡେକାନ ଚାର୍ଜର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୩ ରନ କରିଥିଲା। ଜବାବରେ ୯ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା ଆରସିବି । ଉକ୍ତ ମ୍ୟାଚ୍‌ରେ ଲି ମାତ୍ର ୭ ରନ କରି ପାରିଥିଲେ ବିରାଟ କୋହ। ଅଧିନାୟକ ଅନିଲ କୁମ୍ବଲେ ମାତ୍ର ୧୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। କିନ୍ତୁ ଫାଇନାଲ୍‌ର ଚାପକୁ ସମ୍ଭାଳି ପାରି ନ ଥିଲା ଦଳ ।

ପୁଣି ୨୦୧୧ ସଂସ୍କରଣରେ ଦ୍ଵିତୀୟ ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା ଆରସିବି। ଏହି ମ୍ୟାଚ୍ ମେ ୨୮ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିଲା। ଆରସିବି ବିପକ୍ଷରେ ଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇ ମୂରଲୀ ବିଜୟଙ୍କ ୯୫ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରି ଆରସିବି ୮ ଓ୍ଵିକେଟ୍ ହରାଇ ୧୪୭ ରନରେ ସୀମିତ ରହିଥିଲା। ଉକ୍ତ ମ୍ୟାଚ୍‌ରେ କୋହଲି କରିଥିଲେ ୩୫ ରନ ।   

ଆଇପିଏଲ୍ ୨୦୧୬ ବିରାଟ କୋହଲିଙ୍କ ପାଇଁ ଥିଲା ଚମତ୍କାର ସିଜିନ। କାରଣ ଏହି ସିଜିନରେ କୋହଲି ୧୬ଟି ମ୍ୟାଚ୍‌ ଖେଳି ୮୧.୦୮ ହାରରେ କରିଥିଲେ ୯୭୩ ରନ। ଡେଭିଡ ଓ୍ଵାର୍ଣ୍ଣରଙ୍କ ନେତୃତ୍ଵାଧୀନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଥିଲା ଫାଇନାଲ ମ୍ୟାଚ୍। ଓ୍ଵାର୍ଣ୍ଣରଙ୍କ ୬୯ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୦୮ ରନର ବିଶାଳ ସ୍କୋର କରିଥିଲା ହାଇଦ୍ରାବାଦ। ଜବାବରେ ବେଙ୍ଗାଲୁରୁ ୧୦.୩ ଓଭରରେ ୧୧୪ ରନ କରିଥିଲା। ଆରସିବିର ବିଜୟ ନିଶ୍ଚିତ ଲାଗୁଥିଲା। କ୍ରିସ ଗେଲ୍ ୭୬  ରନ କରି ପାଭିଲିୟନ ଫେରିଥିଲେ। ପୁଣି ୧୪୦ ରନ ସ୍କୋରରେ କୋହଲି ୫୪ ରନ କରି ଆଉଟ୍ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କ ଆଉଟ୍ ହେବା ପରେ ତାସ ପତା ପରି ଭୁଶୁଡ଼ି ପଡ଼ିଥିଲା ଆରସିବିର ଇନିଂସ । ଆଉ ଦଳ ୮ ରନରେ ପରାଜୟ ଭୋଗି ତୃତୀୟ ଥର ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। 

ଏଥିରୁ ସ୍ପଷ୍ଟ ଯେ, ଆରସିବି ଅନେକ ଥର ଆଇପିଏଲ୍ ଚାମ୍ପିଅନ ହେବାର ଦ୍ଵାର ଦେଶରେ ପହଞ୍ଚି ବି ଟ୍ରଫି ଜିତି ପାରିନି। ତେଣୁ ଏଥର ବି ପ୍ରଶ୍ନ ଉଠୁଛି ଯେ, କଣ ଦଳ ଚୋକର୍ସ ଟ୍ୟାଗକୁ ହଟାଇ ଟ୍ରଫି ଜିତି ପାରିବ। ନା ପୁଣି ଥରେ ଫାଇନାଲ୍‌ ଜିତିବାର ଦ୍ଵାର ଦେଶରେ ପହଞ୍ଚି ରନର୍ସଅପ୍‌ରେ ସନ୍ତୁଷ୍ଟ ହେବ। ଏହାର ଉତ୍ତର ମିଳିବ ଜୁନ ୩ ତାରିଖରେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.